ଦୁଇଟି ରୁଟି

କଥାଟିଏ-ଯାଯାବର

ଥରେ ସନ୍ଥ ଫରିଦ କୌଣସି ଏକ ସ୍ଥାନକୁ ଯାଉଥିଲେ। ବାଟରେ ତାଙ୍କୁ ପ୍ରବଳ ଭୋକ ଲାଗିଲା। କିନ୍ତୁ ସେ ଥିଲେ ଏଭଳି ଏକ ନିକାଂଚନ ସ୍ଥାନରେ ଯେଉଁଠି ଖାଦ୍ୟ ମିଳିବା ଅସମ୍ଭବ ଥିଲା। ଅନେକ ସମୟ ପରେ ସେ କିଛି ଦୂରରେ ଗୋଟିଏ କୁଡ଼ିଆ ଦେଖିଲେ। ସମ୍ଭବତଃ କୌଣସି ଶିକାରୀ ବିଶ୍ରାମ ନେବା ଲାଗି ତାହା ତିଆରି କରିଥିଲା। ଫରିଦଙ୍କ ମନରେ ଆଶା ଜାଗିଲା ଯେ ସେଠାରେ ତାଙ୍କୁ ଖାଦ୍ୟ ମିଳିପାରେ।
ସେଠାରେ ପହଞ୍ଚିବା ପରେ ସେ ଦେଖିଲେ ଯେ ଜଣେ ଯୁବକ ସେଠାରେ ବସିଛି। ଫରିଦ ତାଙ୍କୁ କିଛି ଖାଇବା ଲାଗି ମାଗିଲେ। ଯୁବକ କହିଲା ଯେ ତା’ ପାଖରେ ଦୁଇଟି ରୁଟି ଅଛି। କିନ୍ତୁ ସେଥି ଲାଗି ମୂଲ୍ୟ ଦେବାକୁ ହେବ।
ଫରିଦ ତାଙ୍କ ମୁଣିରେ ହାତ ଭରିଲେ ଏବଂ ତହିଁରୁ ବାହାର କରି ଆଣିଲେ ଦୁଇଟି ସୁବର୍ଣ୍ଣ ମୁଦ୍ରା। ତାକୁ ସେ ସେହି ଯୁବକ ହାତକୁ ବଢ଼ାଇ ଦେଲେ। ଯୁବକ ଚକିତ ହୋଇଗଲା। ସେ କହିଲା- ବିଶ୍ବାସ କରି ହେଉନାହିଁ! ଦୁଇଟି ରୁଟି ଲାଗି ଦୁଇଟି ସୁନା ମୋହର!
ଫରିଦ କହିଲେ- ଏ ଦୁଇଟି କୌଣସି ରାଜାଙ୍କ ଦାନ ହୋଇଥିବ, ତାହା ମୋର ମନେ ନାହିଁ। ମୋ ଥଳିରେ କିଛି ଥାଉ ବୋଲି ଈଶ୍ବରଙ୍କୁ ଡାକି ହାତ ପୂରାଇଥିଲି ତ ଏହା ମିଳିଲା। ମୋ ଲାଗି ଏହାର ମୂଲ୍ୟ କିଛି ନାହିଁ। କିନ୍ତୁ ରୁଟି ଦୁଇଟିରେ ମୋର କ୍ଷୁଧା ନିବାରଣ ହେବ। ତୁମ ଲାଗି ଏହା ସୁନା ମୋହର, କିନ୍ତୁ ମୋ ଲାଗି ଏହା ମୂଲ୍ୟହୀନ ଗୋଡ଼ି ପଥର ଭଳି।
ଯୁବକ କିଛି କହି ପାରିଲା ନାହିଁ। ଫରିଦ ରୁଟି ଦୁଇଟି ଖାଇ ଶାନ୍ତିରେ ପ୍ରସ୍ଥାନ କଲେ।

ସମ୍ବନ୍ଧିତ ଖବର