ଜ୍ଞାନର ଅନ୍ଧକାର
କଥାଟିଏ-ଯାଯାବର
କୁହାଯାଏ ଯେ ଜ୍ଞାନ ଜଣକୁ ନମ୍ର କରେ। ଜ୍ଞାନର ଆଲୋକ ସମସ୍ତ ଅନ୍ଧକାରକୁ ଦୂର କରେ। କିନ୍ତୁ ଅସଲରେ ଦେଖାଯାଏ ଯେ ଜ୍ଞାନ ହିଁ ଅନ୍ଧ କରିଦିଏ। ଜ୍ଞାନ ମନୁଷ୍ୟକୁ ଅତ୍ୟନ୍ତ ଅହଂକାରୀ କରି ପକାଏ।
ମହାବୀର ଜୈନଙ୍କ ଠାରେ ଥିବା ସମସ୍ତ ଶିଷ୍ୟଙ୍କ ମଧ୍ୟରେ ସର୍ବାଧିକ ପଣ୍ଡିତ ଥିଲେ ଗୋଶାଳା। ତାଙ୍କ ମନରେ ଅହଂକାର ଆସିଲା। ସେ ଭାବିଲେ ଯେ ମହାବୀର ଯାହା କହୁଛନ୍ତି ତାହା ତାଙ୍କୁ ବି ଜଣା। ବରଂ ସେ ମହାବୀରଙ୍କ ଠାରୁ ଅଧିକ ଭଲ ଶବ୍ଦରେ ତାହା କହି ପାରୁଛନ୍ତି। ତେଣୁ ତାଙ୍କ ମନକୁ ଆସିଲା ଯେ ସେ କାହିଁକି ଜଣେ ତୀର୍ଥଙ୍କର ହୋଇ ନ ପାରିବେ? ତେଣୁ ସେ ମହାବୀରଙ୍କୁ ପରିତ୍ୟାଗ କରି ନିଜର ଏକ ପନ୍ଥ ସୃଷ୍ଟି କଲେ। କିନ୍ତୁ ତା’ର ଚିହ୍ନବର୍ଣ୍ଣ ରହିଲା ନାହିଁ।
ଗୌତମ ବୁଦ୍ଧଙ୍କ ବିରୋଧରେ ବିଦ୍ରୋହ କରିଥିବା ଶିଷ୍ୟ ଥିଲେ କପିଳ। କପିଳ ଥିଲେ ଅତ୍ୟନ୍ତ ଜ୍ଞାନୀ। ତ୍ରିପିଟକ ତାଙ୍କର କଣ୍ଠସ୍ଥ ଥିଲା। ସେ ମଧ୍ୟ ଗୋଶାଳାଙ୍କ ଭଳି ସମାନ କଥା ଚିନ୍ତା କରିଥିଲେ। ଉଭୟେ ଏହା ଭାବି ପାରିଲେ ନାହିଁ ଯେ ସେମାନଙ୍କ ପାଖରେ ଯାହା ଅଛି, ତାହା ଶାସ୍ତ୍ରର ଜ୍ଞାନ; ଅନ୍ୟ ଜଣେ ପ୍ରଦାନ କରିଥିବା ଜ୍ଞାନ। ବୁଦ୍ଧ ବା ମହାବୀରଙ୍କ ଭଳି ନିଜ ଅନୁଭୂତି ଦ୍ବାରା ପ୍ରାପ୍ତ ଆତ୍ମ ଜ୍ଞାନ ସେମାନଙ୍କ ପାଖରେ ନ ଥିଲା।
ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ଥିବା ବାରଜଣ ପରମ ଶିଷ୍ୟଙ୍କ ଭିତରୁ ଏଗାର ଜଣ ଥିଲେ ମୂର୍ଖ ପର୍ଯ୍ୟାୟର, ଯେଉଁମାନଙ୍କ ଭିତରେ ଥିଲେ କ୍ୃଷକ, ଶ୍ରମିକ, କାଠ କଟାଳି ଇତ୍ୟାଦିଙ୍କ ଭଳି। ତେବେ କେବଳ ଜଣେ ଥିଲା ଜ୍ଞାନୀ। ତା’ର ନାମ ଥିଲା ଜୁଡାସ। ସେ ହିଁ ଯୀଶୁଙ୍କ ସହିତ ଅନ୍ତିମ ପ୍ରତାରଣା କରିଥିଲା।