ଥରେ ରାଜା କହିଲେ- ମୁଁ ବିଚାର କରି କରି ଥକି ଗଲିଣି, ତେଣୁ ଜଣେ ନ୍ୟାୟବନ୍ତ ବିଚାରକଙ୍କୁ ନିଯୁକ୍ତ କରିବା। ମୁଲ୍ଲା ନସିରୁଦ୍ଦିନ ଥିଲେ ସେଇଭଳି ଜଣେ ଅତ୍ୟନ୍ତ ନ୍ୟାୟବାନ ବ୍ୟକ୍ତି। ତେଣୁ ତାଙ୍କୁ ଏ କାମ ଦିଆଗଲା। କିନ୍ତୁ ମନ୍ତ୍ରୀ ରାଜାଙ୍କୁ କହିଲେ- ମହାରାଜା, ମୁଲ୍ଲା ବଦଳରେ ଆଉ କାହାକୁ ନିଯୁକ୍ତି ଦିଅନ୍ତୁ। ମୁଲ୍ଲା ଲୋକଟା ହଇରାଣିଆ। ରାଜା କହିଲେ- ହୋଇପାରିବ ନାହିଁ, ମୋ ରାଜ୍ୟର ଲୋକେ ସବୁଠାରୁ ଭଲ ନ୍ୟାୟ ପାଇବାର ବ୍ୟବସ୍ଥା ମୁଁ କରିବି। ମୁଲ୍ଲା ବିଚାରପତି ହେଲେ। 
ଦୈବ ଯୋଗକୁ ପ୍ରଥମ କେସ୍‌ ଆସିଲା ମୁଲ୍ଲାଙ୍କ ପୁଅକୁ ନେଇ। ମୁଲ୍ଲାଙ୍କ ପୁଅ ଅକାରଣରେ ତା’ର ସାଙ୍ଗକୁ ବାଡ଼େଇଥିଲା। ମୁଲ୍ଲା ସବୁ ଶୁଣି କହିଲେ- ମୋ ପୁଅକୁ ଭଲ କରି ପଚିଶ ପାହାର ଦିଅ। 
ମନ୍ତ୍ରୀ କହିଲେ- ମହାରାଜ, ଏବେ ବି ସମୟ ଅଛି, ଏହାକୁ ବରଖାସ୍ତ କରନ୍ତୁ। 
ରାଜା କହିଲେ- ତୁମ ମୁଣ୍ଡ ବୋଧେ କାମ କରୁନି। ଏଇ ଲୋକ ହିଁ ବିଚାରପତି ହେବାକୁ ଯୋଗ୍ୟ। ଦେଖ, କେମିତି ନିଜ ପୁଅକୁ ବି କ୍ଷମା ଦେଲା ନାହିଁ। 
କିଛି ଦିନ ପରେ ଗୋଟିଏ ଅଭିଯୋଗ ଆସିଲା ଯେ ରାଜପୁତ୍ରଙ୍କ ଆଦେଶରେ କେତେକ ରାଜ କର୍ମଚାରୀ ଗୋଟିଏ ଲୋକକୁ ଅକାରଣରେ ପିଟି ବେହୋସ କରି ଦେଇଛନ୍ତି।
ମୁଲ୍ଲା ସବୁ ପକ୍ଷକୁ ଶୁଣି କହିଲେ- ରାଜପୁତ୍ରଙ୍କୁ ପଚାଶ ପାହାର ଦିଅ।
ରାଜା ଏ ଖବର ପାଇ ଆକାଶରୁ ଗଳିପଡ଼ିଲେ। ସେ ଆସି ଅଦାଲତରେ ପହଞ୍ଚି ମୁଲ୍ଲାଙ୍କୁ କହିଲେ- ତୁମ ମୁଣ୍ଡ ବୋଧ କାମ କରୁନି? ଏବେ ଚାହିଲେ ତୁମ ବିଚାରପତି ପଦ ଚାଲିଯିବ। ତୁମେ କେମିତି ମୋ ପୁଅକୁ ଏଭଳି ଦଣ୍ଡ ଦେବାକୁ ସାହସ କଲ!
ମୁଲ୍ଲା କହିଲେ- ମୁଁ ମରିବାକୁ ବସିଲିଣି। ଏଣୁ ମୋର ଏ ସବୁ ପ୍ରତି ନିଘା ନାହିଁ। ମୋ ନିଶା‌ପ ହେଲା ଏୟା ଯେ ମୋ ପୁଅ ଭଳି ଜଣେ ସାଧାରଣ ଲୋକ ଯଦି ପଚିଶ ବେତ ପାହାର ଖାଇଲା, ରାଜପୁତ୍ର ଅଧିକ ବେତ ପାହାର ଖାଇବା ଦରକାର। କାରଣ ମୋ ପୁଅ ପରବର୍ତ୍ତୀ ରାଜା ନୁହେଁ, ଆପଣଙ୍କ ପୁଅ ହିଁ ପରବର୍ତ୍ତୀ ରାଜା। ତେଣୁ ରାଜପୁତ୍ରଙ୍କ ଆଚରଣ ସୁଧୁରିବା ଅଧିକ ଜରୁରି।
ଏହା କହି ମୁଲ୍ଲା ଝଡ଼ ବେଗରେ ସେଠାରୁ ଚାଲିଗଲେ। ମନ୍ତ୍ରୀ ରାଜାଙ୍କୁ କହିଲେ- ଆଜ୍ଞା ମୁଁ କହୁ ନ ଥିଲି। ଏଇ ଲୋକଟା ଅବାଗିଆ। ଏଣିକି ଏମିତି ବିଚାରକ ରଖନ୍ତୁ, ଯିଏ ଆପଣଙ୍କ ଭଳି ବିଚାର କରୁଥିବ।