ରିନଜାଇଙ୍କ ଯୁକ୍ତି

କଥାଟିଏ-ଯାଯାବର

ଥରେ ଜେନ୍‌ ଗୁରୁ ରିନଜାଇଙ୍କ ଉପରେ କୌଣସି କାରଣରୁ ରାଗି ଯାଇ ଜଣେ ଲୋକ ତାଙ୍କ ଉପରକୁ କାଠ ଫାଳିଆଟିଏ ଫିଙ୍ଗି ଦୌଡ଼ି ପଳାଇଗଲା। କାଠ ଫାଳିଆଟି ଖୁବ୍ ଜୋର୍‌ରେ ରିନଜାଇଙ୍କୁ ଆଘାତ କଲା, କିନ୍ତୁ ସେଥି ପ୍ରତି ଭ୍ରୂକ୍ଷେପ ନ କରି ରିନଜାଇ କାଠ ଫାଳିଆଟି ଧରି ସେଇ ଲୋକ ପଛରେ ଦୌଡ଼ି ଚିତ୍କାର କରିବାକୁ ଲାଗିଲେ- ଭାଇ, ତୁମ କାଠ ଫାଳିଆଟିକୁ ତ ନେଇ ଯାଅ!
ଏହା ଦେଖି ଜଣେ ବ୍ୟକ୍ତି ରିନଜାଇଙ୍କୁ ଅଟକାଇ ପଚାରିଲେ- ପାଗଳ ହୋଇଗଲ କି? ସେ ତୁମକୁ ଏହି କାଠରେ ଲହୁଲୁହାଣ କରି ପକାଇଛି, ଅଥଚ ତୁମେ ତାକୁ ତାହା ଫେରାଇ ଦେବା ଲାଗି ଧାଉଁଛ? ତା’ ବିରୋଧରେ ରାଜାଙ୍କୁ ଅଭିଯୋଗ କର। ସେ ଦଣ୍ଡ ପାଇବ।
ରିନଜାଇ କହିଲେ- ଥରେ ମୁଁ ଗଛ ମୂଳରେ ବସିଥିଲି। ଗଛରୁ ଡାଳଟିଏ ଭାଙ୍ଗି ମୋ ଉପରେ ପଡ଼ିଲା। ମୋ ମୁଣ୍ଡ ଫାଟିଗଲା। କିନ୍ତୁ ଗଛ ବିରୋଧରେ ମୁଁ ଅଭିଯୋଗ କରି ନ ଥିଲି!
ସେ ଲୋକ କହିଲେ- ରିନଜାଇ ତୁମ ଯୁକ୍ତି ବିଚିତ୍ର। ମଣିଷ ଯାହା, ଗଛ କ’ଣ ସେୟା? ମଣିଷର ଜ୍ଞାନ ଅଛି। ଗଛର ଜ୍ଞାନ ନାହିଁ। ତେଣୁ ମଣିଷ ଭୁଲ୍‌ କଲେ ଦଣ୍ଡ ପାଇବା କଥା।
ରିନଜାଇ କହିଲେ- ଗଛ ଓ ସେ ଲୋକ ଭିତରେ କିଛି ତଫାତ୍‌ ନାହିଁ। ମୋତେ ମାରିଲା ବେଳକୁ ସେ କ୍ରୋଧ ଜର୍ଜରିତ ଥିଲା। ତା’ ଅର୍ଥ ସେ ଜ୍ଞାନ ହରାଇ ବସିଥିଲା। ଗଛ ଯାହା, ସେତିକି ବେଳେ ସେ ମଧ୍ୟ ତାହା ଥିଲା।

ସମ୍ବନ୍ଧିତ ଖବର