ଥରେ ଜଣେ ଗୁରୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ- କାଲି ମୁଁ ସହରକୁ ଯିବି। ତୁମେମାନେ ମୋ ସହିତ ଚାଲ ବୁଲି ଆସିବ। ଅନେକ ଦିନ ପରେ ବୁଲି ବାହାରିଥିବାରୁ ଚେଲାମାନଙ୍କ ମନ ଭାରି ଖୁସି ଥାଏ। 
କିଛି ଦୂର ଗଲା ପରେ ସହର ମୁଣ୍ତରେ ଗୁରୁ କହିଲେ ମୁଁ ଭାବୁଛି ଏଇ ପାନ୍ଥଶାଳାରେ ମୁଁ ଟିକିଏ ବିଶ୍ରାମ ନେବି। ତୁମେମାନେ ଯଦି ଚାହୁଛ ବାହାରେ ବୁଲାବୁଲି କରି ଆସ। 
ଚେଲାମାନେ ପୂରା ଫିଟିଗଲେ। ସହର ଭିତରେ ଭଳିକି ଭଳି ଦୋକାନ। ସେମାନଙ୍କ ଭିତରୁ ଥୋକେ କିଛି ଜିନିଷପତ୍ର କିଣିବାରେ ଲାଗିଗଲେ। ଜଣେ ଦେଖିଲା ଯେ ଗୋଟିଏ ସ୍ଥାନରେ ଜୁଆ ଖେଳ ହେଉଛି। ସେ ନିଜ ପାଖରେ ଥିବା ସ୍ବଳ୍ପ ବିତ୍ତକୁ ଦୁଇ ଗୁଣ କରିବା ଲାଗି ଜୁଆ ଖେଳରେ ବସିଗଲା ଏବ˚ ତା’ ପାଖରେ ଯାହା ଥିଲା ତାକୁ ହରାଇଲା। ଦୁଇ ଜଣ ଶିଷ୍ୟ ନିଜର ସ˚ଯମ ହରାଇ ସୁଯୋଗ ଦେଖି ଚୁପ୍‌ କରି ଏକ ପାନଶାଳା ଭିତରକୁ ପଶିଗଲେ। କିଛି ଶିଷ୍ୟ ଏକ ଉପାସନା ଗୃହରେ ବସିଲେ ଏବ˚ ସେଠି ସତ୍‌ସଙ୍ଗରେ ବସି ଆଲୋଚନାରେ ମାତିଲେ। ଏମିତି ସମୟ କାଟିବା ପରେ ସେମାନେ ସ˚ଧୢା ବେଳକୁ ପାନ୍ଥଶାଳାକୁ ଫେରିଲେ। 
ଗୁରୁ ବିଶ୍ରାମ ନେଇ ସାରିଥିଲେ। ସ˚ଧୢାରେ ଗୁରୁ ଶିଷ୍ୟମାନଙ୍କୁ ନିୟମିତ ପ୍ରବଚନ ଦିଅନ୍ତି। ସେଇ ସ˚ଧୢାରେ ଗୁରୁ କହିଲେ- ସହରକୁ ଗୋଟିଏ ରାସ୍ତା ପଡ଼ିଛି। ରାସ୍ତା କଡ଼ରେ କେତେ ବିପଣି ଗଢ଼ି ଉଠିଛି। କେତେ ଦେବାଳୟ ଗଢ଼ି ଉଠିଛି। କେତେ ପାନଶାଳା ତିଆରି ହୋଇଛି। ଆହୁରି କେତେ କଅଣ ଅଛି। ରାସ୍ତାଟି ସମସ୍ତଙ୍କୁ ବାଟ କଢ଼ାଉଛି। କିନ୍ତୁ ସେ କାହାକୁ କହୁ ନାହିଁ ଯେ ବନ୍ଧୁ ତୁମେ ଦେବାଳୟକୁ ଯାଅ କି ପାନଶାଳାକୁ ଯାଅ। ସେଇ ସମାନ ରାସ୍ତାକୁ ସମସ୍ତେ ବ୍ୟବହାର କରୁଛନ୍ତି, କିନ୍ତୁ ଯିଏ ଯେଉଁ ଭଳି ସେ ସେଭଳି ଲକ୍ଷ୍ୟ ସ୍ଥଳରେ ପହଞ୍ଚୁଛି। ସେମିତି ଆମ ଜୀବନ। ତମେ କିଭଳି ଜୀବନ ଗଢ଼ିବ, ତାହା ତୁମ ପସନ୍ଦ ଉପରେ ନିର୍ଭର କରେ।