ମ୍ୟାନମାରର ଏକ ଲୋକଗଳ୍ପ ଶୁଣନ୍ତୁ।
ପ୍ରଥମ ଦୃଶ୍ୟ। ଜଣେ ଦେବତା ଗୋଟିଏ ଜଙ୍ଗଲ ଭିତର ଦେଇ ଯାଉଥିଲେ। ସେଇ ଜଙ୍ଗଲରେ ଗୋଟିଏ ଗୁମ୍ଫାରେ ସପରିବାରେ ରହୁଥିଲା ହେଟାବାଘଟିଏ। ସେ ସମୟରେ ଲଗାତାର ଅନେକ ଦିନ ବର୍ଷା ହେବାରୁ ହେଟାବାଘର ପରିବାର ଭୋକରେ ଥିଲେ। ତେଣୁ ଦଳର ନେତା ହେଟାଟି ଖାଦ୍ୟ ଅନ୍ବେଷଣରେ ବାହାରିଲା। ତା’ର ଭେଟ ହୋଇଗଲା ଦେବତାଙ୍କ ସହିତ। ହେଟାର ତ ଜ୍ଞାନ ନାହିଁ କିଏ କଅଣ ବୁଝିବା ଲାଗି! ଛପି ଛପି ପଛରୁ ସେ ଦେବତାଙ୍କ ଉପରେ ଆକ୍ରମଣ କଲା। ଦେବତା କିଛି ନ କହି କେବଳ ହାତ ହଲାଇ ଦେଲେ। ହେଟା ସେଇଠି ରହିଗଲା। ଦେବତା ଅଳ୍ପ ହସି ପୁଣି ହାତ ହଲାଇ ଦେଲେ। ହେଟା ଆଗରେ ପହଞ୍ଚିଗଲା ଖାଦ୍ୟ। ଦେବତା ହେଟାକୁ ସବୁ ଦେଇ ଆଗକୁ ଚାଲିଲେ। ହେଟା ମନଖୁସିରେ ସେ ସବୁ ବୋହି ଗୁମ୍ଫାକୁ ଚାଲିଲା। ଭୋକିଲା ପରିବାର ଖୁସିରେ ଖାଇଲେ। 
ଦ୍ବିତୀୟ ଦୃଶ୍ୟ। ସମାନ ପରିସ୍ଥିତି। ଜଣେ ରାକ୍ଷସ ସେଇ ବାଟେ ଯାଉଥିଲା। ଭୋକିଲା ହେଟା ତାକୁ ପଛରୁ ଆକ୍ରମଣ କଲା। ରାକ୍ଷସର ଅମାପ ବଳ। ମୁଣ୍ତରେ ପ୍ରଚଣ୍ତ କ୍ରୋଧ ଆଉ ହି˚ସା। ସେ ସାଙ୍ଗେ ସାଙ୍ଗେ ହେଟାକୁ ବେକ ପାଖରୁ ଧରି ନେଇ ତଳେ କଚାଡ଼ି ଦେଲା। ହେଟା ମୃତପ୍ରାୟ ପଡ଼ି ରହିଲା। ଭାଗ୍ୟ ଜୋର ଥିଲା ବୋଲି ସେ ବଞ୍ଚିଲା। 
ତୃତୀୟ ଦୃଶ୍ୟ। ଏଥର ମଣିଷ ଯାଉଥିଲା। ହେଟା ଆକ୍ରମଣ କରି ମଣିଷକୁ ଘାଇଲା କଲା। ମଣିଷ ବୁଦ୍ଧି ପ୍ରୟୋଗ କରି କୌଣସିମତେ ଖସିଗଲା। କିଛି ଦିନ ଚିକିତ୍ସିତ ହେବା ପରେ ସେ ଭଲ ହେଲା। ଏଥର ସେ ହେଟା ଲାଗି ସୁସ୍ବଦୁ ଖାଦ୍ୟ ଧରି ସେଇଠି ପହଞ୍ଚିଲା ଓ ହେଟାକୁ ଡାକି ତାହା ଦେଲା। ହେଟା ଭାବିଲା ୟେ ଆଉ ଜଣେ ଦେବତା ବୋଧହୁଏ। ମଣିଷ ହେଟା ସହିତ ବନ୍ଧୁତା କଲା। ତା’ ସହିତ ତା’ର ଗୁମ୍ଫାକୁ ଗଲା। କିଛି ଦିନ ପରେ ସେ ଦଳବଳ ସହ ଆସି ଗୁମ୍ଫାରେ ଥିବା ହେଟାକୁ ତା’ର ବ˚ଶ ସହିତ ମାରିଦେଲା। ମଲା ବେଳକୁ ହେଟା ଭାବିଲା ୟେ କିଏ? ୟେ ତ ସବୁଠାରୁ ଭୟଙ୍କର।