ମାସିଡୋନିଆର ବୀର ଆଲେକଜାଣ୍ଡରଙ୍କ ମୃତ୍ୟୁ ଘଟିଥିଲା ମାତ୍ର ତେତିଶ ବର୍ଷ ବୟସରେ। ଅଥଚ, ସେତିକି ବେଳକୁ ସେ ପୃଥିବୀର ଅଧା ଜୟ କରି ସାରିଥିଲେ। ଦିଗ୍ବିଜୟ ନିଶାରେ ଗ୍ରସ୍ତ ଆଲେକଜାଣ୍ଡର ତେବେ କାହିଁକି ଇଚ୍ଛା ପ୍ରକଟ କଲେ ଯେ ମୃତ୍ୟୁ ପରେ ତାଙ୍କ ହାତ ଯୋଡ଼ିକୁ ଶବାଧାର ତଳକୁ ଝୁଲାଇ ରଖାଯାଉ ଏବଂ ସମସ୍ତେ ଜାଣନ୍ତୁ ଯେ ଲୋଭର କୌଣସି ମୂଲ୍ୟ ନାହିଁ? ଜାଣନ୍ତୁ ଯେ ସିକନ୍ଦର ଏତେ ଅର୍ଜିଲା, କିନ୍ତୁ ଗଲା ବେଳେ କିଛି ସାଙ୍ଗରେ ନେଇ ଗଲା ନାହିଁ!
କୁହାଯାଏ ଯେ ଦିଗ୍ବିଜୟ ଯାତ୍ରା ପଥରେ ସେ ଏଭଳି ଅନେକ ଅନୁଭୂତି ଲାଭ କରିଥିଲେ, ଯାହାର ପ୍ରଭାବ ତାଙ୍କୁ ଶେଷ ବେଳକୁ ଏକ ବ୍ୟଥିତ ବୈରାଗୀରେ ପରିଣତ କରି ଦେଇଥିଲା। ଦିଗ୍ବିଜୟ ପରେ ସ୍ବଦେଶ େଫରିବା ବାଟରେ ତାଙ୍କର ଅସଂଖ୍ୟ ସୈନ୍ୟ କ୍ଳାନ୍ତି, ରୋଗ ଓ କ୍ଷୁଧାରେ ମରିବାକୁ ଲାଗିଥିଲେ। ବାଟରେ ଏକ ମରୁଭୂମିରେ ତାଙ୍କ ନିକଟରେ ଥିବା ସବୁ ପାଣି ସରିଗଲା। ଶୋଷରେ ଆଉଟୁପାଉଟୁ ହେଉଥିବା ଆଲେକଜାଣ୍ଡରଙ୍କୁ ଲାଗିଲା ଯେମିତି ଜଣେ ଭିକାରି ତାଙ୍କ ଆଗରେ ଛିଡ଼ା ହୋଇ ପଚାରୁଛନ୍ତି- ପାଣି ମୁନ୍ଦାଏ ଲାଗି କି ମୂଲ୍ୟ ଦେଇ ପାରିବ ସିକନ୍ଦର?
ଆଲେକଜାଣ୍ଡର କହୁଛନ୍ତି- ସବୁ କିଛି, ମୋର ପୂରା ରାଜ୍ୟ।
ତଥାପି ପାଣି ମିଳିବ ନାହିଁ ବୋଲି କହି ସେହି ଫକିର ଉଭେଇ ଯାଉଛନ୍ତି।
ହୁଏତ ତାହା ଥିଲା ଶୋଷରେ ବାଉଳିଚାଉଳି ହେଉଥିବା ସିକନ୍ଦରଙ୍କ ଏକ ଭ୍ରମ। କିନ୍ତୁ ସେହି ଫକିର ଥିଲେ ତାଙ୍କ ଦେଶର ପ୍ରସିଦ୍ଧ ଦାର୍ଶନିକ ଡିଓଜିନସ, ଯିଏ ତାଙ୍କୁ ଦିଗ୍ବିଜୟରେ ବାହାରିବାର ଅହଂକାରରୁ ଦୂରରେ ରହିବାକୁ ବାରମ୍ବାର କହି ଚାଲିଥିଲେ।
ସେଦିନ ତ କେଜାଣି କେମିତି ପ୍ରାଣ ବଞ୍ଚାଇ ସିକନ୍ଦର ଦେଶକୁ ଫେରିଥିଲେ। କିନ୍ତୁ ତାଙ୍କ ଶରୀର କ୍ରମେ ଅସୁସ୍ଥ ହୋଇ ପଡ଼ିଥିଲା। ସେ ମୃତ୍ୟୁ ଶଯ୍ୟାରେ ଥିବା ବେଳେ ଏଭଳି ଅନିଭୂତିମାନ ତାଙ୍କୁ ବାରମ୍ବାର ବିଚଳିତ କରୁଥିଲା। ତେଣୁ ସେ ମୃତ୍ୟୁ ପୂର୍ବରୁ ଜୀବନର ବାସ୍ତବ ସତ୍ୟକୁ ଉପଲବ୍ଧି କରି ଏଭଳି ସନ୍ଦେଶଟିଏ ଦେବାକୁ ଚାହିଥିଲେ।
ସିକନ୍ଦରଙ୍କ ଶୋଷ
କଥାଟିଏ-ଯାଯାବର