ଅନେକ ବର୍ଷ ପରେ ରାମ ଓ ଶ୍ୟାମ ନାମକ ଦୁଇ ବନ୍ଧୁଙ୍କ ଭିତରେ ଦେଖା ହେଲା। ଗପସପ କ୍ରମେ କଥା ପଡ଼ିଲା ପିଲାମାନଙ୍କୁ ନେଇ। 
କଥା ପ୍ରସଙ୍ଗରେ ରାମ ବାବୁ କହିଲେ- ବୁଝିଲ ଶ୍ୟାମ, ମୋ ପିଲାକୁ ଶୃଙ୍ଖଳିତ କରିବା ଲାଗି ମୁଁ କ’ଣ ନ କରିଛି? ମୋର କଡ଼ା ଅନୁଶାସନ ହେତୁ ସେ ଆଜି ମୋ କଥାରେ ଚାଲୁଛି। ବାଟରୁ ଅବାଟକୁ ଯିବା ଲାଗି ତା’ର ସାହସ ନାହିଁ। ପୂରା ଥରହର।
ଶ୍ୟାମ ଏ କଥା ଶୁଣି କହିଲେ- ଭାଇ ମୁଁ ତ ଢିଲା ଲୋକ ବୋଲି ତୁମେ ଜାଣିଛ। ପୁଅଟି ସହିତ ବନ୍ଧୁ ଭଳି ବ୍ୟବହାର କରୁଛି। ବାଟ ଓ ଅବାଟ ଭିତରୁ କେଉଁଥିରେ ସେ ଯିବ ତାହା ସେ ନିଜେ ତା’ ବିବେକାନୁସାରେ ବାଛିବ ବୋଲି ମୁଁ ତାକୁ କହିଛି। ଦେଖାଯାଉ, କଅଣ ହେଉଛି?
ରାମ ବାବୁ କହିଲେ- ଭାଇ, ତୁମେ ଏ କଅଣ କରୁଛ? ପିଲାମାନଙ୍କୁ ଆମେ ଏ ଦୁନିଆକୁ ଆଣିଥାଏଁ। ସେମାନଙ୍କୁ ମଣିଷ କରିବା ଆମ କାମ ନୁହେଁ କି? ତୁମେ ଏମିତି ହୁଗୁଳା ହେଲ କେମିତି?
ଥରେ ସ˚ଧୢା ବେଳେ ରାମ ବାବୁଙ୍କ ପୁଅ ଓ ଶ୍ୟାମ ବାବୁଙ୍କ ପୁଅ ଏକ ଲାଇବ୍ରେରିରୁ ପଢ଼ିସାରି ଫେରିଲା ବେଳକୁ ବାଟରେ ଏକ ସିନେମା ହଲ୍‌ ପଡ଼ିଲା। ଶ୍ୟାମ ବାବୁଙ୍କ ପୁଅର ଆମନ୍ତ୍ରଣରେ ରାମ ବାବୁଙ୍କ ପୁଅ ନିଜକୁ ସମ୍ଭାଳି ନ ପାରି ସିନେମା ହଲ୍‌ରେ ପଶିଲା। ଦୁହେଁ ସିନେମା ଉପଭୋଗ କଲେ। କିନ୍ତୁ ହଲ୍‌ରୁ ବାହାରିଲା ପରେ ରାମ ବାବୁଙ୍କ ପୁଅର ହଲକ ଶୁଖିଗଲା। ସେ କଅଣ କରିବ ବୁଝି ପାରିଲା ନାହିଁ। ସେ ଯେତେବେଳେ ଶୁଣିଲା ଯେ ଶ୍ୟାମ ବାବୁଙ୍କ ପୁଅ ଘରେ ବାପାଙ୍କୁ ସବୁ କଥା ସତ ସତ କହିଦେବ, ସେ ବିସ୍ମିତ ହେଲା।
ପରଦିନ ରାମ ବାବୁ ଓ ଶ୍ୟାମ ବାବୁଙ୍କ ଭିତରେ ଭେଟ ହେଲା। ରାମ ବାବୁ କହିଲେ- ମୋ ପୁଅର ପଢ଼ାରେ ଏତେ ମନ ଯେ କାଲି ଲାଇବ୍ରେରିରୁ ଫେରିଲା ବେଳକୁ ରାତି ଦଶଟା ହୋଇଗଲା। ତୁମ ପୁଅ ପଢ଼ାପଢ଼ି କେମିତି କରୁଛି?
ଶ୍ୟାମ ବାବୁ କହିଲେ- ହଁ ସେ ପଢ଼ାପଢ଼ି କରୁଥିବ ନିଶ୍ଚୟ। କିନ୍ତୁ ସିନେମା ବି ଦେଖୁଛି। କାଲି ରାତିରେ ସିନେମା ଯାଇଥିଲା।
ରାମବାବୁ କହିଲେ- ଭାଇ ଶ୍ୟାମ ପୁଅକୁ ସମ୍ଭାଳ। ନ ହେଲେ ବିଗିଡ଼ିଯିବ। ଶ୍ୟାମ ବାବୁ କିଛି କହିଲେ ନାହିଁ ସିନା ଭାବିଲେ- ରାମ ତୁମ ପୁଅ ବିଗିଡ଼ି ସାରିଲାଣି।