ଜେନ୍ ଗୁରୁ ନେନେଙ୍କୁ ଜଣେ ଯୁବକ କହିଲେ- ମୋତେ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ।
ନେନେ କହିଲେ- ତୁମେ ହୋସ୍ରେ ଅଛ ତ?
ଯୁବକ କହିଲା- କାହିଁକି ଆଜ୍ଞା ଏମିତି କହୁଛନ୍ତି। ମୁଁ ତ ସର୍ବଦା ହୋସ୍ରେ ଥାଏ।
ନେନେ କହିଲେ- ତେବେ ପରୀକ୍ଷା କରିବା।
ଏହା କହି ନେନେ ଯୁବକଙ୍କୁ ଗୋଟିଏ ପାଣିପୂର୍ଣ୍ଣ ପାତ୍ର ଧରାଇ ଦେଇ କହିଲେ- ଦେଖ ପାଣି କେମିତି ଉଛୁଳିବା ସ୍ତରରେ ରହିଛି। ସେଥିରୁ ଟୋପାଏ ତଳେ ପଡ଼ିଲେ ତୁମ ପରୀକ୍ଷା ଶେଷ ଓ ତୁମେ ବିଫଳ। ଦେଖିବା ତୁମେ କେତେ ଜାଗ୍ରତ?
ଯୁବକ ଏବେ ପାଣି ପାତ୍ରକୁ ସତର୍କତାର ସହିତ ଧରି ପାଣିକୁ ଏକ ଲୟରେ ଚାହିଁ ବସିଲା। ନିର୍ଦ୍ଦିଷ୍ଟ ସମୟ ସରିବା ପରେ ଯେତେବେଳେ ଟୋପାଏ ପାଣି ନ ପଡ଼ିବା ହେତୁ େସ ପରୀକ୍ଷାରେ ସଫଳ ହୋଇଛି ବୋଲି ଘୋଷଣା କଲା, ନେନେ ପଚାରିଲେ- ସେତିକି ବେଳେ ମୋର ଜଣେ ଶିଷ୍ୟ ଘର ଭିତରୁ ସଂଗୀତ ପରିବେଷଣ କରୁଥିଲା। କହିଲ ଦେଖି ତାହା କେଉଁ ଗୀତ ଥିଲା? ତାହା ଆମ ଦେଶରେ ସର୍ବାଧିକ ଲୋକପ୍ରିୟ ଗୀତ।
ଯୁବକ ଅପ୍ରତିଭ ହୋଇ କହିଲା- ମହାତ୍ମା, ସତ କହିଲେ ମୁଁ ତାହା ଶୁଣି ନାହିଁ। ମୋ ଧ୍ୟାନ ଏହି ପାଣି ପାତ୍ର ଉପରେ ନିବଦ୍ଧ ଥିଲା।
ନେନେ କହିଲେ- ତାହା ହେଲେ ତୁମେ କିଭଳି ଜାଗ୍ରତ ଥିଲ? ଏବେ ଘରକୁ ଯାଇ ଏଇ ଛୋଟ କଥାଟିକୁ ଅଭ୍ୟାସ କର। ସେଥିରେ ସଫଳ ହେବା ପରେ ଆସିବ। ମୁଁ କହେ ହୋସ୍ରେ ରହିବାର ଅର୍ଥ ଏଭଳି ଜାଗ୍ରତ ରହିବା ଯେେତବେଳେ ତୁମର ସବୁ ଇନ୍ଦ୍ରିୟ ଖୋଲିଯିବ। ତୁମେ ଯେମିତି ସୂକ୍ଷ୍ମରୁ ସୂକ୍ଷ୍ମତମ ଅନୁଭୂତି ଏକା ସାଙ୍ଗରେ ଆହରଣ କରିପାରିବ।
ଜାଗ୍ରତ ରହିବା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2019/11/footf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)