କଥାଟିଏ / ମୂର୍ଖ କିଏ?

ଯାଯାବର

ଥରେ ସୁଫି ସନ୍ଥ ଫରିଦ ତାଙ୍କ ଶିଷ୍ୟମାନଙ୍କୁ କହିଲେ- ମୂର୍ଖଙ୍କ ଗହଣରେ ରହିବା ଅନୁଚିତ। କାରଣ ମୂର୍ଖଙ୍କ ଗହଣରେ ରହିଲେ ନିଜେ ମୂର୍ଖ ହୋ‌ଇଯିବ।
ଶିଷ୍ୟମାନେ ‘ହଁ’ ଭରିଲେ।
ତା’ ପରେ ଫରିଦ ପଚାରିଲେ- ତେବେ ଜାଣିଛ ତ ମୂର୍ଖ କିଏ?
ଶିଷ୍ୟମାନଙ୍କ ଭିତରୁ ଜଣେ କହିଲା- ସେଇ ‌େଯଉଁ ଯୁବକ ଆସି ଆମ ରହିବା ଜାଗା ସଫାସଫି କରୁଛି ସେ! କାରଣ, ତାକୁ ଯାହା ପଚାରିଲେ ସେ କହେ ଯେ ସେ କିଛି ଜାଣିନାହିଁ।
ଫରିଦ କହିଲେ- ସେ ମୂର୍ଖ ନୁହେଁ। ସେ ଅଜ୍ଞାନ। ମୂର୍ଖ ବୋଇଲେ ସେମାନଙ୍କ ଭିତରେ ତୁମମାନଙ୍କ ଭିତରୁ ଅନେକ ଯିବେ।
ଶିଷ୍ୟଟି ଏଭଳି କଥାରେ ନିରାଶ ଦିଶିଲା।
ଫରିଦ କହିଲେ- ଦେଖ ମୁଁ ଯଦି ତୁମକୁ ପଚାରେ ଈଶ୍ବର ଅଛନ୍ତି କି? ତେବେ ତୁମେମାନେ ହଁ ବୋଲି କହି ମୋତେ ସନ୍ତୁଷ୍ଟ କରିବା ଲାଗି ପଢ଼ିଥିବା ଅନେକ ଶାସ୍ତ୍ରରୁ ଉଦାହରଣମାନ ଦେବ। କିନ୍ତୁ ସେ ସବୁ ତ ଶାସ୍ତ୍ରର ଜ୍ଞାନ, ଯାହାକୁ ତୁମେ ନିଜ ଜ୍ଞାନ ବୋଲି ଭାବି ନେଇଛ। ଈଶ୍ବର ଅଛନ୍ତି ବୋଲି ତୁମେ ତୁମ ନିଜ ଜ୍ଞାନରୁ କେମିତି ପ୍ରମାଣ ଦେବ?
ଶିଷ୍ୟ ନିରବ ରହିଲା।
ଫରିଦ କହିଲେ- ତୁମେମାନେ ଜାଣି ନାହଁ ବୋଲି ନ ଜାଣିବା ହେଉଛି ପ୍ରଥମ ମୂର୍ଖତା। ଏବଂ ତୁମମାନଙ୍କ ଭଳି ଅନେକ ଜାଣି ନ ଥିବା ସତ୍ତ୍ବେ ସବୁ ଜାଣିଛ ବୋଲି ଭାବିବା‌ ହେଉଛି ସବୁଠାରୁ ବଡ଼ ମୂର୍ଖତା। ଏବେ ବୁଝ ମୂର୍ଖ କିଏ?

ସମ୍ବନ୍ଧିତ ଖବର