ସନ୍ଥ ଫରିଦଙ୍କୁ ଜଣେ ପଚାରିଲା- ଈଶ୍ବରଙ୍କୁ ପାଇବି କେମିତି?
ଫରିଦ ନଈ କୂଳରେ ବସିଥିଲେ। ସେ କହିଲେ- ପ୍ରଥମେ ନଈରେ ଡୁବନ ମାରି ଆସ ତା’ ପରେ ତୁମକୁ କହିବି।
ଲୋକଟି ନଈରେ ଡୁବନ ମାରିବାକୁ ଗଲା। ପଛେ ପଛେ ଚାଲିଲେ ଫରିଦ। ଲୋକ ଜଣକ ନଈରେ ମୁଣ୍ତ ବୁଡ଼ାଇଥିବା ବେଳେ ଫରିଦ ତାକୁ ମାଡ଼ି ବସି ତା’ର ମୁଣ୍ତକୁ ପାଣି ତଳେ ଚାପି ଧରିଲେ। ଫରିଦ ଥିଲେ ଜଣେ ମଜଭୁତ ଲୋକ। କିନ୍ତୁ ପ୍ରଶ୍ନକର୍ତ୍ତା ଥିଲା ନିହାତି ଦୁର୍ବଳ। ତେଣୁ ସେ ପ୍ରାଣ ବିକଳରେ ଛାଟିପିଟି ହେବାକୁ ଲାଗିଲା। ହେଲେ, ଫରିଦ ତାକୁ ଆହୁରି ଜୋରରେ ଚାପି ଧରିଲେ। ଏମିତି କିଛି କ୍ଷଣ ଗଲା ପରେ ହଠାତ୍‌ ସେ ଲୋକ ନିଜର ସମସ୍ତ ଶକ୍ତି ଖଟାଇ ଫରିଦଙ୍କୁ ଧକ୍କାଟିଏ ଦେଇ ବାହାରି ଆସିଲା ଏବ˚ ନିଃଶ୍ବାସ ନେବା ଲାଗି ନାକ ଓ ପାଟି ମେଲା କରି କୂଳ ଉପରେ ପଡ଼ିଗଲା। କିଛି ସମୟ ପରେ ସେ ପ୍ରକୃତିସ୍ଥ ହେଲା। ଏବେ ଫରିଦ ପଚାରିଲେ- ଉତ୍ତର ପାଇଲ ତ? 
ସେ ଲୋକ କିଛି ବୁଝିପାରିଲା ନାହିଁ। 
ଫରିଦ କହିଲେ- ଏବେ କୁହ, ଯେତେବେଳେ ତୁମ ମୁଣ୍ତକୁ ମୁଁ ପାଣି ତଳେ ଚାପି ଧରିଥିଲି, ସେତିକି ବେଳେ ତୁମକୁ କେମିତି ଲାଗିଲା?
ସେହି ବ୍ୟକ୍ତି କହିଲା- ମୁଁ ଭାବିଥିଲି ମୋର ମୃତ୍ୟୁ ନିଶ୍ଚିତ। ନିଃଶ୍ବାସ ଓ ପ୍ରଶ୍ବାସ ଲାଗି ପବନ ଟିକିଏ ନ ପାଇଲେ ଶ୍ବାସରୁଦ୍ଧ ହୋଇ ମରିଯିବି। 
ଏବେ ଫରିଦ କହିଲେ- ପ୍ରଶ୍ବାସରେ ପବନ ଟିକିଏ ପାଇବା ଲାଗି ତୁମେ ଯେମିତି ବିକଳ ହେଲ, ସେମିତି ଈଶ୍ବରଙ୍କୁ ପାଇବା ଲାଗି ବିକଳତା ଜାତ ନ ହେଲେ, ତାଙ୍କୁ ପାଇବା‌ କଷ୍ଟକର।