ଗୋଟିଏ ଗାଁରେ ଉଭାହେଲେ ଜଣେ ଦେବପୁରୁଷ। ସେ ଦେଖିଲେ ଗାଁ ଲୋକେ ମୁହଁ ଶୁଖାଇ ବୁଲୁଛନ୍ତି। ସେ ସେମାନଙ୍କୁ ଡାକି କହିଲେ- ବାବୁମାନେ, ବିରସ ମନରେ କାହିଁକି ରହିଛ? କାଲି ସକାଳୁ ଆସ। ମନଟିମାନ ସରସ ହେବା ପାଇଁ ଯାହାର, ଯାହା ଇଚ୍ଛା ମୋ’ଠାରୁ ମାଗିନେବ ଏବ˚ ସମସ୍ତେ ସୁଖରେ ରହିବ।
ପର ଦିନ ସକାଳ ନ ହେଉଣୁ ଦେବପୁରୁଷଙ୍କ ନିକଟରେ ଲୋକେ ଧାଡ଼ି ଲଗାଇଲେ। ଜଣେ କେବଳ ଗୋଟିଏ ବର ମାଗିବାର ସର୍ତ୍ତ ରହିଲା। ଲୋକେ ରାତିସାରା ଏ ବାବଦରେ ବିଚାର କରି କ’ଣ ମାଗିବେ ସ୍ଥିର କରି ଆସିଥିଲେ। ତେଣୁ, ବର ଦେବା ପର୍ବ ଆରମ୍ଭ ହେବା ମାତ୍ରେ ସେମାନେ ମାଗିଚାଲିଲେ। ସମସ୍ତଙ୍କ ମୁହଁରୁ ଟଙ୍କା, ସୁନା, ଘର-ବାଡ଼ି, ଜାଗା-ଜମି, ସୁନ୍ଦରୀ ପତ୍ନୀ ଛଡ଼ା ଆଉ କିଛୁ ଶୁଭୁ ନ ଥିଲା। ଦେବପୁରୁଷ ନିଜ ମୁଣିରେ ହାତ ପୂରାଇ ମାଗୁଥିବା ଲୋକଙ୍କୁ କିଛି ଦେଇ ତଥାସ୍ତୁ କହୁଥିଲେ ଏବ˚ ତତ୍‌କ୍ଷଣାତ୍‌ ବର ଫଳିଯାଉଥିଲା। ଗାଁର ସବୁ ଲୋକ ମାଗି ସାରିଲା ପରେ ଦେବପୁରୁଷ ଉଭେଇ ଗଲେ। 
କିଛି ବର୍ଷ ପରେ ସେଇ ଗାଁରେ ପୁଣି ଥରେ ଦେବପୁରୁଷ ଉଭାହେଲେ। ଏବେ ଗାଁରେ ଶୋଭାପାଉଥିଲା ଉଚ୍ଚ ଉଚ୍ଚ ଅଟ୍ଟାଳିକା, ସୁନ୍ଦର ରାସ୍ତା-ଘାଟ। ଗାଁଟି ଅସମ୍ଭବ ଭାବେ ସମୃଦ୍ଧ ଦିଶୁଥିଲା। କିନ୍ତୁ ଗାଁ ଲୋକଙ୍କ ମୁହଁ ଆହୁରି ବିରସ ଦିଶୁଥିଲା। ଦେବପୁରୁଷ ସେମାନଙ୍କୁ ପଚାରିଲେ- ପୁଣି କ’ଣ ହେଲା? କାହିଁକି ସମସ୍ତେ ଏଡ଼େ ଉଦାସ?
ସମସ୍ତେ କହିଲେ- ପ୍ରଭୁ, ଯାହା ଚାହିଁଥିଲୁ ମିଳିଲା। କିନ୍ତୁ ଆମକୁ ଶାନ୍ତି ମିଳୁନାହିଁ। ଦେବପୁରୁଷ କହିଲେ- ସେୟା କହୁନ? ତୁମମାନେ ଶାନ୍ତି ଚାହଁ। କିନ୍ତୁ ତାହା ନ ମାଗି ଏଣୁତେଣୁ ମାଗୁଛ। ହଉ ହେଲା ଏବେ ସମସ୍ତଙ୍କୁ ଶାନ୍ତି ମିଳିିବ। ଦେବ ପୁରୁଷ ଉଭେଇ ଗ‌େଲ। ଗାଁଟି ମଧ୍ୟ ପୁଣି ଅତିି ସାଧାରଣ ହୋଇଗଲା। କିନ୍ତୁ ଲୋକେ ଛୋଟ ଛୋଟ ପ୍ରାପ୍ତିରେ ସନ୍ତୁଷ୍ଟ ହୋଇ ଶାନ୍ତିରେ ରହିଲେ। 

Advertisment