ଜଣେ ଧନୀ ବ୍ୟବସାୟୀଙ୍କ ଥିଲା ନାହିଁ ନ ଥିବା ଗର୍ବ। ସେ ଅନ୍ୟମାନଙ୍କୁ ହେୟ ମଣୁଥିଲେ ଏବଂ ସେମାନଙ୍କ ସହିତ ଖରାପ ବ୍ୟବହାର ବି କରୁଥିଲେ।
ଥରେ ସେଇ ଅଞ୍ଚଳକୁ ଆସିଲେ ଜଣେ ତ୍ରିକାଳଦ୍ରଷ୍ଟା ସାଧୁ। ସେ ଅଞ୍ଚଳର ଲୋକେ ସାଧୁଙ୍କ ଦର୍ଶନ ଲାଗି ଆସିଲେ। ସେମାନଙ୍କ ଭିତରେ ଥିଲେ ବ୍ୟବସାୟୀଙ୍କ ପତ୍ନୀ। ସେ ସାଧୁଙ୍କୁ ଅନୁରୋଧ କଲେ ଯେ ଏମିତି କିଛି କରନ୍ତୁ ଯେମିତି ତାଙ୍କ ସ୍ବାମୀଙ୍କ ମତିଗତି ବଦଳିବ। ସାଧୁ ରାଜି ହେଲେ।
ତା’ ପରେ ସ୍ତ୍ରୀଙ୍କ କଥାରେ ବ୍ୟବସାୟୀ ସାଧୁଙ୍କୁ ଦେଖା କରିବାକୁ ଆସିଲେ। ସେ ପ୍ରକୃତରେ ଆସିଥିଲେ ନିଜ ବଡ଼େଇ ଦେଖାଇବା ଲାଗି। ତେଣୁ ତାଙ୍କ ଆଚରଣରୁ ସାଧୁ ଠଉରାଇ ପାରିଲେ ଯେ ପତ୍ନୀଙ୍କ କଥା ମିଛ ନୁହେଁ।
ସାଧୁ ତାଙ୍କୁ କହିଲେ- ଆପଣ ଏ ଭୟଙ୍କର ଲୋକକୁ କାହିଁକି ସାଙ୍ଗରେ ନେଇ ଆସିଛନ୍ତି? ବ୍ୟବସାୟୀ କିଛି ବୁଝି ନ ପାରି ବିସ୍ମିତ ହୋଇ ଏପଟ ସେପଟ ଚାହିଁଲେ। କିନ୍ତୁ କାହାକୁ ହେଲେ ଦେଖିବାକୁ ନ ପାଇ ବ୍ୟବସାୟୀ ପଚାରିଲେ- କାହା କଥା କହୁଛନ୍ତି?
ସାଧୁ କହିଲେ- ଆପଣ ତାହା ହେଲେ ଦେଖି ପାରୁ ନାହାନ୍ତି। ମୁଁ କିନ୍ତୁ ଦେଖି ପାରୁଛି। ସେ ହେଉଛି ମୃତ୍ୟୁର ଦୂତ।
ବ୍ୟବସାୟୀ ଏଥର ଭୟ ପାଇଗଲେ। ତାଙ୍କ ମୁହଁ ଶେଥା ପଡ଼ିଗଲା। କିନ୍ତୁ ସାଧୁ କହିଲେ- ଭୟ କରନ୍ତୁ ନାହିଁ। ସେଇଭଳି ଜଣେ ଭୟାନକ ଲୋକ ମୋ ପଛରେ ବି ଛିଡ଼ା ହୋଇଛି। ସେ ଆମ ସମସ୍ତଙ୍କ ପଛରେ ଛିଡ଼ା ହୋଇଥାଏ। ଆଜି ନ ହେଲେ କାଲି ସମସ୍ତେ ତା’ କୋଳକୁ ଯିବା ନିଶ୍ଚିତ। କିନ୍ତୁ ବିଡ଼ମ୍ବନା ହେଲା, ଆପଣ ତାକୁ ଦେଖି ପାରୁ ନ ଥିବାରୁ ସବୁ ପ୍ରକାର ଗର୍ବ ଓ ଅହଂକାରରେ ବୁଡ଼ି ରହିଛନ୍ତି।
ସାଧୁଙ୍କ କଥାରେ ବ୍ୟବସାୟୀଙ୍କ ଚୈତନ୍ୟ ଉଦୟ ହେଲା। ସେ ମରଣଶୀଳ ଓ ତାଙ୍କର ସବୁ ଧନରତ୍ନ ଅସ୍ଥାୟୀ ଏପରିକି ଅଳୀକ ବୋଲି ଧାରଣା ତାଙ୍କ ମନରେ ଗଢ଼ି ହୋଇଗଲା। କହିବା ବାହୁଲ୍ୟ, ବ୍ୟବସାୟୀଙ୍କ ଆଚରଣ ସୁଧୁରିଲା।
କଥାଟିଏ-ଯାଯାବର: ଆଚରଣ ସୁଧୁରିଲା
ଜଣେ ଧନୀ ବ୍ୟବସାୟୀଙ୍କ ଥିଲା ନାହିଁ ନ ଥିବା ଗର୍ବ। ସେ ଅନ୍ୟମାନଙ୍କୁ ହେୟ ମଣୁଥିଲେ ଏବଂ ସେମାନଙ୍କ ସହିତ ଖରାପ ବ୍ୟବହାର ବି କରୁଥିଲେ। ଥରେ ସେଇ ଅଞ୍ଚଳକୁ ଆସିଲେ ଜଣେ ତ୍ରିକାଳଦ୍ରଷ୍ଟା ସାଧୁ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)