ଗୋଟିଏ ପ୍ରସିଦ୍ଧ ସୁଧାର ଗୃହ ଥିଲା। ବହୁ ଦୁଷ୍ଟ ପ୍ରକୃତିର ପିଲାମାନଙ୍କ ପିତାମାତା ବ୍ୟତିବ୍ୟସ୍ତ ହୋଇ ସେମାନଙ୍କୁ ଆଣି ସେଠାରେ ଛାଡୁଥିଲେ। ସେଠାରୁ ସେମାନେ ପରିବର୍ତ୍ତିତ ହୋଇ ଘରକୁ ଫେରୁଥିଲେ। ଥରେ ପିଲାମାନଙ୍କୁ ଶିକ୍ଷା ଦେବାର ଦାୟିତ୍ବରେ ଥିବା ଶିକ୍ଷକଙ୍କୁ କୌଣସି କାମ ସକାଶେ ଅନ୍ୟତ୍ର ଯିବାକୁ ହେଲା। ସେଠାରେ ଆଉ ଜଣେ ବିଜ୍ଞ ବ୍ୟକ୍ତିଙ୍କୁ ନିଯୁକ୍ତ କଲେ। ପ୍ରଥମ ଦିନ ସେ ବିଜ୍ଞ ବ୍ୟକ୍ତି ପିଲାମାନଙ୍କ ମତିଗତି ଦେଖିବା ପରେ ଦ୍ବିତୀୟ ଦିନ ଏକ ବଡ଼ ବାଡ଼ି ଧରି ଆସିଲେ। ପିଲାମାନେ ବାଡ଼ି ଦେଖି ଭୟ ପାଇଗଲେ। କିନ୍ତୁ କିଛି ଦିନ ପରେ ପୁଣି ସେମାନଙ୍କ ପ୍ରବଳ ଦୁଷ୍ଟାମି ବାହାରିଲା। ଏଥର ଶିକ୍ଷକ ସେମାନଙ୍କୁ ପିଟାପିଟି ବି କଲେ। ପିଲାମାନେ ପ୍ରଥମେ ଡରିଗଲେ। କିନ୍ତୁ କିଛି ଦିନ ପରେ ଦଳେ ପିଲା ଏହା ବିରୋଧରେ ସ୍ବର ଉତ୍ତୋଳନ କଲେ। ଏ କଥା ସୁଧାର ଗୃହର ତତ୍ତ୍ବାବଧାରକଙ୍କ କାନକୁ ଗଲା। ସେ ସାଙ୍ଗେସାଙ୍ଗେ ପୁରୁଣା ଶିକ୍ଷକଙ୍କୁ ପଠାଇଲେ। 

Advertisment

ପୁରୁଣା ଶିକ୍ଷକ ପହଞ୍ଚି ପ୍ରଥମେ ନୂଆ ଶିକ୍ଷକଙ୍କ ବାଡ଼ିକୁ ବାହାରକୁ ଫୋପାଡ଼ି ଦେଲେ। ଏହା ଦେଖି ପିଲାମାନେ ତାଳି ମାରି ଉଠିଲେ। ପୁରୁଣା ଶିକ୍ଷକ ନୂଆ ଶିକ୍ଷକଙ୍କୁ ନିଭୃତରେ କହିଲେ- ଆପଣ ପିଲାମାନଙ୍କୁ ଅଧୀନସ୍ଥ କରିବା ଲାଗି ଗୋଟିଏ ଅସ୍ତ୍ରର ବ୍ୟବହାର କରୁଛନ୍ତି। କିନ୍ତୁ ଥରେ ଭାବି ନିଅନ୍ତୁ ଯେ ସେମିତି ଏକ ଅସ୍ତ୍ର ଆପଣଙ୍କ ପାଖରେ ନାହିଁ। ସେଭଳି ସ୍ଥିତିରେ ଆପଣ କ’ଣ କରିବେ? ଆପଣ ପିଲାମାନଙ୍କ ସହିତ କଥାବାର୍ତ୍ତା କରି, ତାଙ୍କ ସମସ୍ୟା ଶୁଣି, ସେମାନଙ୍କୁ ବୁଝାଇ ସେମାନଙ୍କୁ ଭଲ ପାଇ, ଦରକାର ପଡ଼ିଲେ ସେମାନଙ୍କ ସହିତ ସନ୍ଧି କରି ସେମାନଙ୍କୁ ବଶ କରିବାର ଚେଷ୍ଟା କରିବେ। ମୋ ମତରେ ତାହା ହିଁ ହେଉଛି ପ୍ରକୃତ ବାଟ। ସେମିତି ହେଲେ ସେମାନେ ଆପଣଙ୍କ ଦ୍ବାରା ବଶୀଭୂତ ହେବା ସହିତ ନିଜ ନିଜର ଦୁଷ୍ଟ ଅଭ୍ୟାସ ବଦଳାଇ ସୁଧୁରି ଯିବେ।