ଦିନେ ପ୍ରଭାତରେ ବୌଦ୍ଧ ଭିକ୍ଷୁ ସାରୀପୁତ୍ତ ଭିକ୍ଷା ଉଦ୍ଦେଶ୍ୟରେ ଏକ ଗାଁ ଦେଇ ଯାଉଥିଲେ। ଭେଟ ହୋଇଗଲା ଜଣେ ବ୍ରାହ୍ମଣ ପୂଜକଙ୍କ ସହିତ। ସେତେବେଳକୁ ଗୌତମ ବୁଦ୍ଧ ବ୍ରାହ୍ମଣମାନଙ୍କ ମଧ୍ୟରେ ଅତ୍ୟନ୍ତ ଘୃଣ୍ୟ ହୋଇ ସାରିଥିଲେ। କାରଣ ସେ ବେଦ, କର୍ମକାଣ୍ଡ, ବ୍ରାହ୍ମଣ ପ୍ରାଧାନ୍ୟ ବିରୋଧରେ ପ୍ରଚାର କରି ଚାଲିଥିଲେ। ସାରୀପୁତ୍ତଙ୍କ ଦର୍ଶନ ମାତ୍ରକେ ପୂଜକ କ୍ରୋଧରେ ଅଗ୍ନିଶର୍ମା ହୋଇଗଲେ ଏବଂ ଦୌଡ଼ି ଆସି ସାରୀପୁତ୍ତଙ୍କୁ ପଛରୁ ଲଗାଇ ଦେଲେ ଏକ ନିର୍ଘାତ ଗୋଇଠା।
ସେ ଭାବିଥିଲେ ସାରୀପୁତ୍ତ ଅଟକି ଯିବେ, ବାଦାନୁବାଦ କରିବାକୁ ଏକ ଅପରିଚିତ ଗାଁରେ ସାହସ ନ କଲେ ସୁଦ୍ଧା ପଚାରିବେ କେଉଁ ଦୋଷରେ ପ୍ରହାର କଲେ ଗୋସାଇଁ? କିନ୍ତୁ ସାରୀପୁତ୍ତ କିଛି ନ କହି ନିର୍ବିକାର ଭାବେ ଆଗକୁ ବଢ଼ିଲେ। ସତେ ଯେମିତି କିଛି ଘଟିନାହିଁ।
ସାରୀପୁତ୍ତଙ୍କ ଲାଗି ସେ ଆଘାତ ଥିଲା ଅତି ଯନ୍ତ୍ରଣାଦାୟକ। କିନ୍ତୁ ତାଙ୍କ ଶରୀର ବା ମନରେ କୌଣସି ପ୍ରଭାବ ନ ଥିଲା। ଅହୋରାତ୍ର ତାଙ୍କ ମନକୁ ଆବୋରି ରହିଥିଲା ବୁଦ୍ଧଙ୍କ ସେହି ଅକ୍ଷୟ ବାଣୀ- ଯେଉଁ ମାର୍ଗରେ ବାହାରିଛ, ତାହା ଏକାଗ୍ରତାର ମାର୍ଗ, ଧ୍ୟାନସ୍ଥ ହେବାର ମାର୍ଗ। ପ୍ରତ୍ୟେକ କର୍ମରେ ଧ୍ୟାନସ୍ଥ ହେବା ଜରୁରି। ସର୍ବଦା ଭାବି ନିଅ ଯେ ତୁମେ ପ୍ରଜ୍ଜ୍ବଳିତ ଦୀପଟିଏ ହାତରେ ଧରି ଚାଲିଛ ଏବଂ ତାହା କାଳେ ଲିଭିଯିବ, ତେଣୁ ତୁମ ଧ୍ୟାନ ତହିଁରୁ ଯେମିତି ଟିକିଏ ହେଲେ ନ ହଟେ। ସାରୀପୁତ୍ତ ସେଭଳି ଧ୍ୟାନରେ ଚାଲିଥିଲେ। ଧ୍ୟେୟ ଥିଲା ଆତ୍ମ ଅନ୍ବେଷଶ ଏବଂ ଲକ୍ଷ୍ୟ ଥିଲା ନିଜକୁ ପାଇବା।
ଏଭଳି ଦୃଶ୍ୟ ବ୍ରାହ୍ମଣ ଦେଖି ନ ଥିଲେ ବା ଦେଖିବାକୁ ଆଶା କରି ନ ଥିଲେ। ଦୌଡ଼ି ଆସି ସେ ସାରୀପୁତ୍ତଙ୍କ ହାତ ଧରି ପକାଇ କ୍ଷମା ମାଗିଲେ। ସଂଧ୍ୟା ବେଳକୁ ସାରୀପୁତ୍ତ ସେହି ବ୍ରାହ୍ମଣଙ୍କୁ ସାଙ୍ଗରେ ଧରି ବୁଦ୍ଧଙ୍କ ନିକଟକୁ ଫେରିଲେ।
କଥାଟିଏ-ଯାଯାବର: ସାରୀପୁତ୍ତ ଓ ବ୍ରାହ୍ମଣ
ଦିନେ ପ୍ରଭାତରେ ବୌଦ୍ଧ ଭିକ୍ଷୁ ସାରୀପୁତ୍ତ ଭିକ୍ଷା ଉଦ୍ଦେଶ୍ୟରେ ଏକ ଗାଁ ଦେଇ ଯାଉଥିଲେ। ଭେଟ ହୋଇଗଲା ଜଣେ ବ୍ରାହ୍ମଣ ପୂଜକଙ୍କ ସହିତ। ସେତେବେଳକୁ ଗୌତମ ବୁଦ୍ଧ ବ୍ରାହ୍ମଣମାନଙ୍କ ମଧ୍ୟରେ ଅତ୍ୟନ୍ତ ଘୃଣ୍ୟ ହୋଇ ସାରିଥିଲେ।
/sambad/media/media_files/4gXaeJpVRwjMhCybVeWv.jpg)