ଜଣେ ପ୍ରସିଦ୍ଧ ଜେନ୍‌ ଗୁରୁ ଥିଲେ। ତାଙ୍କ ପାଖରୁ ଗୂଢ଼ ଜ୍ଞାନ ପାଇବାକୁ ଜଣେ ଯୁବକ ପହଞ୍ଚିଲେ। ସେତିକି ବେଳକୁ ଗୁରୁ ବଗିଚାର ଗଛଗୁଡ଼ିକରେ ପାଣି ଦେବାର ଉପକ୍ରମ କରୁଥିଲେ। ଜଣେ ଶିଷ୍ୟ ଦୁଇଟି ପାଣି ଭରା ମାଠିଆ ଆଣି ଗୁରୁଙ୍କ ପାଖରେ ରଖିଲା। ଏତିକି ବେଳେ ଯୁବକ ସେଠାରେ ପହଞ୍ଚି ଗୁରୁଙ୍କୁ ଅଭିବାଦନ କରି ନିଜ ପରିଚୟ ଦେଇ କହିଲେ- ମହାଶୟ ମୁଁ ଆପଣଙ୍କ ଠାରୁ ଗୂଢ଼ ଜ୍ଞାନ ଶିକ୍ଷା କରିବାକୁ ଆସିଛି। କେବଳ ଆପଣ ହିଁ ତାହା ଦେଇପାରିବେ। ମୁଁ ଜାଣେ ଆପଣ ବାଛି ବାଛି ଶିଷ୍ୟ ଗ୍ରହଣ କରନ୍ତି। ସେଥି ଲାଗି ମୁଁ ପ୍ରଥମରୁ ମୋ ନିଜ ବିଷୟରେ କିଛି କହି ଦେବା ଉଚିତ ବୋଲି ଭାବୁଛି। ମୁଁ ବୁଦ୍ଧଙ୍କ ଜ୍ଞାନ ଓ ତତ୍ତ୍ବ ବାବଦରେ ବହୁତ କିଛି ପଢ଼ିଛି। ଆପଣ ମୋର ଜ୍ଞାନର ଗଭୀରତାକୁ ପରୀକ୍ଷା କରିପାରନ୍ତି। 
ଗୁରୁ କିଛି ନ କହି ତାଙ୍କ ଶିଷ୍ୟକୁ କହିଲେ- ଏ ମାଠିଆର ପାଣି ନେଇ ସେ ମାଠିଆରେ ଢାଳ। ଶିଷ୍ୟ ଆଦେଶ ପାଇବା କ୍ଷଣି ତାହା କଲା ଏବ˚ ଯେଉଁ ମାଠିଆକୁ ପାଣି ଢଳାଗଲା ତାହା ଭରା ଥିବାରୁ ପାଣି ତକ ଉଛୁଳି ତଳେ ବହିଗଲା। 
ଏହା ଦେଖି ଯୁବକ କହିଲା- ଆଜ୍ଞା, ଏ କ’ଣ କରୁଛନ୍ତି? ଏହା ଖାଲି ନ ହେଲେ ତା’ ଭିତରେ ଆଉ ପାଣି ପଶିବ କେମିତି?
ଗୁରୁ କହିଲେ- ବେଶ୍‌, ଏହା ହେଉଛି ତୁମ ଲାଗି ମୋର ପ୍ରଥମ ଗୂଢ଼ ଜ୍ଞାନ। ଯାଅ ତୁମ ମୁଣ୍ତରୁ ଜ୍ଞାନ ତକ ଖାଲି କରି ଆସ। ସେତକ ନ ହେଲେ ନୂଆ ଜ୍ଞାନ ପଶିବ ନାହିଁ।