ଜଣେ ରାଜା ଥିଲେ। ତାଙ୍କର ଏକମାତ୍ର ପୁତ୍ରର ଔଦ୍ଧତ୍ୟ ଥିଲା କାହିଁରେ କ’ଣ? ରାଜା ତାକୁ କେମିତି ବାଟକୁ ଆଣିବେ ତାହା ବୁଝିପାରୁ ନ ଥିଲେ। ସେ ବିଭିନ୍ନ ସମୟରେ ଦୋଷ କରୁଥିଲା, ରାଜ୍ୟର ଲୋକେ ତା’ ଦ୍ବାରା ଭାରି ହଇରାଣ ହେଉଥିଲେ, କିନ୍ତୁ ରାଜାଙ୍କ ପାଖରେ ଅଭିଯୋଗ କରିବାକୁ ସାହସ କରୁ ନ ଥିଲେ। ସେଇ କାରଣରୁ ରାଜକୁମାରଙ୍କ ଔଦ୍ଧତ୍ୟ ବି ବଢୁଥିଲା। ଯଦିବା କେବେ ଅଭିଯୋଗ ଆସୁଥିଲା, ରାଜା ତା’ର ବିଚାର କରି ପୁଅକୁ କି ଦଣ୍ତ ଦେବେ, ତାହା ବୁଝିପାରୁ ନ ଥିଲେ। ତେଣୁ ସେ ଏ ବାବଦରେ ବାଟ ପାଇବା ଲାଗି ଗୁରୁଙ୍କ ପାଖକୁ ଆସି ପରାମର୍ଶ ଲୋଡ଼ିଲେ। ଗୁରୁ ତାଙ୍କୁ ଗୋଟିଏ ବାଟ ବତାଇ ପରବର୍ତ୍ତୀ ସମୟରେ ସେପରି କରିବାକୁ କହିଲେ।

Advertisment

କିଛି ଦିନ ପରେ ରାଜାଙ୍କ ପାଖକୁ ରାଜପୁତ୍ରଙ୍କ ବିରୋଧରେ ଏକ ଅଭିଯୋଗ ଆସିଲା। ରାଜା ଏଥର ଗୁରୁଙ୍କ ଦ୍ବାରା ବତାଯାଇଥିବା ବାଟ ଆପଣାଇବାକୁ ସ୍ଥିର କଲେ। ସେ ରାଜପୁତ୍ରଙ୍କ ବିରୋଧରେ ଅଭିଯୋଗ ଶୁଣିଲେ ଏବ˚ ତାହା ସତ ବୋଲି ହୃଦ୍‌ବୋଧ କଲା ପରେ ରାଜକୁମାରଙ୍କୁ ସାଙ୍ଗରେ ନେଇ ପ୍ରାସାଦ ବାହାର ଏକ ପଡ଼ିଆକୁ ଗଲେ। ରାଜା କ’ଣ କରୁଛନ୍ତି ବୋଲି ସେଠାରେ ଉତ୍କଣ୍ଠିତ ଲୋକଙ୍କ ଭିଡ଼ ଜମିଲା। ସେଠାରେ ରାଜା ଘୋଷଣା କଲେ ଯେ ରାଜପୁତ୍ରଙ୍କ ବ୍ୟବହାର ଲାଗି ପିତା ହିସାବରେ ସେ ଦାୟୀ ଓ ଦୋଷୀ ହୋଇଥିବାରୁ ସେ ହିଁ ଦଣ୍ତ ପାଇବା ଉଚିତ। ତା’ ପରେ ତାଙ୍କ ଆଦେଶରେ ରାଜାଙ୍କ ପିଠିରେ ଜଣେ ବସେଇଲା ଚାବୁକରେ ଗୋଟିଏ ପାହାର। ରାଜାଙ୍କ ଶରୀରରୁ ଧାର ଧାର ରକ୍ତ ବହିିବାକୁ ଲାଗିଲା। ଏଥିରେ ରାଜପୁତ୍ରଙ୍କ ହୃଦୟ ହାହାକାର କରି ଉଠିଲା। ସେ ଘୋର ଲଜ୍ଜିତ ହେଲେ। ସେ ସଙ୍ଗେ ସଙ୍ଗେ ରାଜାଙ୍କ ପାଦ ତଳେ ପଡ଼ି ଯାଇ କାନ୍ଦି କାନ୍ଦି କ୍ଷମା ଭିକ୍ଷା କଲେ। ସେଇ ଦିନ ଠାରୁ ରାଜକୁମାର ସଂପୂର୍ଣ୍ଣ ରୂପେ ବଦଳି ଗଲେ।