ସୁଫିମାନଙ୍କ ଭିତରେ ଏମିତି ଗୋଟିଏ ପୁସ୍ତକ ଅଛି ଯାହାକୁ ବହିମାନଙ୍କ ଭିତରେ ସର୍ବୋତ୍କୃଷ୍ଟ ବୋଲି କୁହାଯାଏ। ଏବେ ଜାଣିବା ସେ ବହିର ବୃତ୍ତାନ୍ତ।
ଆଜିକୁ କେତେ ଶହ ବର୍ଷ ତଳେ ଜଣେ ସୁଫି ଗୁରୁ ତାଙ୍କର ଯୋଗ୍ୟତମ ଚେଲାକୁ ଗୋଟିଏ ବହି ଦେଇ କହିଲେ- ପୃଥିବୀରେ ଯାହା କିଛି ପଢ଼ିବା ଯୋଗ୍ୟ, ସେ ସବୁ କିଛି ମୁଁ ଏଥିରେ ଲେଖିଛି। ୟାକୁ ପଢ଼ିବୁ ଓ ଚିନ୍ତା କରିବୁ। ଶିଷ୍ୟ ମୋଟା ବହିକୁ ଖୋଲି ଦେଖେ ତ ତା’ ଭିତରେ ଗୋଟିଏ ଶବ୍ଦ ବି ଲେଖା ନାହିଁ। ସେ ଗୁରୁଙ୍କୁ ପଚାରିଲା- ଆଜ୍ଞା, ଏଥିରେ ତ କିଛି ହେଲେ ଲେଖାନାହିଁ। ଗୁରୁ କହିଲେ- ତା’ ଅର୍ଥ ଏ ପୃଥିବୀରେ ପଢ଼ିବା ଯୋଗ୍ୟ କିଛି ନାହିଁ। 
ଚେଲା ବହିଟିକୁ ଆଗ୍ରହର ସହିତ ରଖିଲା ଓ ତା’ର ଶେଷ ଅବସ୍ଥାରେ ସେ ତା’ର ପ୍ରିୟତମ ଚେଲାକୁ ଡାକି କହିଲା-ଏ ବହିଟି ନେ। ଯାହା ଲେଖା ଅଛି ପଢ଼ିବୁ, ଜାଣିବୁ ଓ ଚିନ୍ତା କରିବୁ। ଚେଲା ଦେଖେ ତ ସେଥିରେ ଗୋଟିଏ ମାତ୍ର ବାକ୍ୟ ଲେଖା ଅଛି- ପୃଥିବୀରେ ପଢ଼ିବା ଯୋଗ୍ୟ କିଛି ନାହିଁ। ଚେଲାଟି ଗୁରୁଙ୍କୁ କହିଲା- ଆଜ୍ଞା, ଯଦି ପଢ଼ିବା ଯୋଗ୍ୟ କିଛି ନାହିଁ। ତେବେ କ’ଣ ଜାଣିବି? ଏହି ଚେଲାର ଗୁରୁ ଏବେ କହିଲେ- ତାହା ହେଲେ ଏ ପୃଥିବୀରେ ଜାଣିବା ଯୋଗ୍ୟ ବି କିଛି ନାହିଁ। 
ଏବେ ଚେଲାଟି ସେ ବହିଟି ଆଣି ରଖିଲା ଏବ˚ ଏ ଦୁଇଟି ଧାଡ଼ି ଉପରେ ଗଭୀର ଭାବେ ଚିନ୍ତା କଲା। 
ସେ ଯେତେବେଳେ ଅତ୍ୟନ୍ତ ବୃଦ୍ଧ ହୋଇଗଲା, ତା’ର ସବୁଠାରୁ ପ୍ରିୟ ଚେଲାକୁ ବହିଟି ଦେଇ କହିଲା- ଏହା ହେଉଛି ସର୍ବୋତ୍ତମ ବହି। ଏହାକୁ ମନ ଦେଇ ପଢ଼ିବୁ। ଚେଲା ବହିଟିକୁ ଖୋଲି ଦେଖେ ତ ଲେଖା ଅଛି- ‘ଏ ପୃଥିବୀରେ ପଢ଼ିବା ଯୋଗ୍ୟ କିଛି ନାହିଁ। ଜାଣିବା ଯୋଗ୍ୟ କିଛି ନାହିଁ।’
ଚେଲାଟି କିଛି ବୁଝି ନ ପାରି ଗୁରୁଙ୍କୁ ଚାହିଁବାରୁ ଗୁରୁ କହିଲେ- ତାହା ହିଁ ସତ୍ୟ। କେବଳ ବୁଝିବାକୁ ଚେଷ୍ଟା କର। 
ଏ ତୃତୀୟ ଚେଲା ବୃଦ୍ଧ ହେଲା ପରେ ଏଇ ବହିଟି ତା’ର ସର୍ବୋତ୍ତମ ଚେଲାକୁ ଦେଲା। ଏବେ ସେଥିରେ ଲେଖା ଥିଲା- ‘ଏ ପୃଥିବୀରେ ପଢ଼ିବା ଯୋଗ୍ୟ କିଛି ନାହିଁ। ଜାଣିବା ଯୋଗ୍ୟ କିଛି ନାହିଁ। କେବଳ ବୁଝିବାକୁ ଚେଷ୍ଟା କର।’ 
ତା’ ପର ଠାରୁ ସେଥିରେ ଆଉ କିଛି ଯୋଡ଼ା ଯାଇ ନାହିଁ। ଏ ତିନି ବାକ୍ୟକୁ ପ୍ରକୃତ ଜ୍ଞାନ ବୋଲି ବିଚାର କରାଯାଏ।