ସେ ଦିନ ଜଣେ ତରୁଣ ଶ୍ରେଣୀ ଶିକ୍ଷକଙ୍କ ପାଖରେ ପହଞ୍ଚିବା ପରେ କାନ୍ଦି ପକାଇଲା। ତା’ ମନରେ ଭାରି କଷ୍ଟ। କଷ୍ଟର କାରଣ ସେ ଜଣେ ଭଲ ଛାତ୍ର। ପରୀକ୍ଷା ଲାଗି ପରିଶ୍ରମ ବି କରିଥିଲା। କିନ୍ତୁ ଭାଗ୍ୟର ବିଡ଼ମ୍ବନା ତାଙ୍କ ପରିବାରରେ ଏମିତି ଏକ ଜଟିଳ ପରିସ୍ଥିତି ଉପୁଜିଲା ଯେ ସେ ପରୀକ୍ଷା ସକାଶେ ମନୋନିବେଶ କରିପାରିଲା ନାହିଁ। ସୁତରା˚, ସେ ଯେମିତି ଆଶା କରିଥିଲା ସେଇ ଅନୁସାରେ ଫଳ ପାଇଲା ନାହିଁ। ତା’ର ସମକକ୍ଷ ବନ୍ଧୁମାନେ ଭଲ ଫଳ ଦେଖାଇ ଆଗେଇ ଗଲେ। ତାକୁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ଆଉ ବର୍ଷଟିଏ ପରେ ପୁଣି ପରୀକ୍ଷା ଦେବାକୁ ହେବ। ପରୀକ୍ଷାରେ ଖରାପ କରିଥିବାରୁ ସେ ହତୋତ୍ସାହିତ ହୋଇ ପଡ଼ିଥିଲା। ଶିକ୍ଷକ ତା’ର ମନଃସ୍ଥିତି ବୁଝିପାରିଲେ ଏବ˚ ତାକୁ ପାଖରେ ବସାଇ କହିଲେ- ବାବୁ, ତୁ ହେଉଛୁ ଜଣେ ଅତି ଭଲ ଛାତ୍ର। ଘଟଣାଚକ୍ରରେ ତୁ ଆଜି ଏଭଳି ସ୍ଥିତିରେ ଅଛୁ। କିନ୍ତୁ ଚାହିଲେ ତୁ ଅପୂର୍ବ ଫଳ ପାଇପାରିବୁ। ଏବେ ଶୁଣ ଏଭରେଷ୍ଟ ବିଜୟୀ ଏଡ୍ମଣ୍ତ ହିଲାରିଙ୍କ କଥା।
ନିଉଜିଲାଣ୍ତ ଦେଶର ଏଡ୍ମଣ୍ତ ହିଲାରିଙ୍କ ଏକମାତ୍ର ଲକ୍ଷ୍ୟ ଥିଲା ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ଶୀର୍ଷରେ ପହଞ୍ଚିବା। କିନ୍ତୁ ସେ ଦୁଇ ଥର ଅଭିଯାନ ଆରମ୍ଭ କରି ଅଧାରୁ ଫେରିଥିଲେ। ତାଙ୍କ ବନ୍ଧୁମାନେ ଭାବିନେଲେ ଯେ ଏଡ୍ମଣ୍ତ ହିଲାରି ଆଉ ଏଭରେଷ୍ଟ ବିଜୟ କରିବା ଉଦ୍ଦେଶ୍ୟରେ ବାହାରିବେ ନାହିଁ। କିନ୍ତୁ ହିଲାରି ଏଭରେଷ୍ଟ ବିଜୟ କରିବା ଲାଗି ବଦ୍ଧପରିକର ଥିଲେ। ଦିନକର କଥା। ହିଲାରି ତାଙ୍କ ପଢ଼ା କକ୍ଷରେ ବସିଥିବା ବେଳେ କିଛି ବନ୍ଧୁ ତାଙ୍କ ପାଖରେ ପହଞ୍ଚିଲେ। ସେତିକି ବେଳକୁ କାନ୍ଥରେ ଟଙ୍ଗା ଯାଇଥିବା ଏଭରେଷ୍ଟ ଶୃଙ୍ଗର ଏକ ଫଟୋଚିତ୍ର ଆଡ଼କୁ ଚାହିଁ ହିଲାରି ବସିଥିଲେ। ବନ୍ଧୁମାନଙ୍କୁ ଦେଖି ସେ କହିଲେ- ଦେଖ, କେତେ ଉତ୍ତୁଙ୍ଗ ଶିଖର ଏଇ ଏଭରେଷ୍ଟ। ଉଚ୍ଚତା ଆଠ ହଜାର ଆଠ ଶହ ଅଠଚାଳିଶ ମିଟର। କିନ୍ତୁ ସେ ଉଚ୍ଚତା ସେତିକିରେ ରହିବ, ଆଉ ବଢ଼ିବ ନାହିଁ। କିନ୍ତୁ ମନୁଷ୍ୟର ସାହସର ଉଚ୍ଚତାର କୌଣସି ସୀମା ନାହିଁ। ଏହା ବଢ଼ି ବଢ଼ି ଚାଲିଥିବ ଏବ˚ ଏମିତି ଦିନ ଆସିବ ଯେଉଁ ଦିନ ତାହା ଏଭରେଷ୍ଟର ଉଚ୍ଚତାକୁ ଟପିଯିବ। ସେଇ ଦିନ ମୋର ବିଜୟ ହେବ।
ସତକୁ ସତ ତାହା ହେଲା। ହିଲାରି ହେଲେ ଏଭରେଷ୍ଟ ଶିଖରରେ ପାଦ ଦେଇଥିବା ପ୍ରଥମ ମନୁଷ୍ୟ।