ଜଣେ ଅମାୟିକ ରାଜା ଥିଲେ। ସେ ସମସ୍ତଙ୍କୁ ବିଶ୍ବାସ କରୁଥିଲେ। ସେ ଭାବୁଥିଲେ ଯେ ଏ ଦୁନିଆରେ ତାଙ୍କର କେହି ହେଲେ ଶତ୍ରୁ ନାହାନ୍ତି। 
ଦିନେ ମନ୍ତ୍ରୀ ମହାଶୟ ରାଜାଙ୍କୁ କହିଲେ- ଆଜ୍ଞା, ମୁଁ ଗୋଟିଏ ବିଚିତ୍ର ସ୍ବପ୍ନ ଦେଖିଲି। ଦେଖିଲି ଯେ ଚାରି ଆଡୁ କଳାହାଣ୍ତିଆ ମେଘ ଘୋଟି ଆସୁଛି। ହଠାତ୍‌ ତାହା ବର୍ଷିବାକୁ ଲାଗିଲା। ଏତେ ପାଣି ଯେ ବନ୍ୟା ଆସିଗଲା। ସେଇ ବନ୍ୟାରେ ଆପଣ ଓ ମୁଁ ଭାସିଯିବାକୁ ଲାଗିଲୁ। ଏତିକି ବେଳେ ମୋ ନିଦ ଭାଙ୍ଗିଗଲା। ଏଇ ସ୍ବପ୍ନର ଅର୍ଥ କ’ଣ ବୋଲି ଜାଣିବା ଲାଗି ଜଣେ ପଣ୍ତିତଙ୍କୁ ପଚାରିଲି। ସେ କହିିଲେ ଯେ ବିପଦ ମାଡ଼ିଆସୁଛି। କିନ୍ତୁ ବିପଦ କେଉଁ ଭଳି ଆସିବ ତାହା କହିହେବ ନାହିଁ। 
ରାଜା ମନ୍ତ୍ରୀଙ୍କୁ ପଚାରିଲେ- ଏବେ କ’ଣ କରିବା?
ମନ୍ତ୍ରୀ କହିଲେ- ମୁକାବିଲା ଲାଗି ପ୍ରସ୍ତୁତ ହେବା। 
ତା’ ପରେ ମନ୍ତ୍ରୀ ସମସ୍ତଙ୍କୁ କୌଣସି ଅନାହୂତ ବିପଦ ଲାଗି ପ୍ରସ୍ତୁତ ହେବାକୁ କହିଲେ। 
ଅନେକ ଦିନ ହେଲା ଯୁଦ୍ଧାଭ୍ୟାସ କରି ନ ଥିବା ସୈନ୍ୟ ବଳ ପୁଣି ସମର ବିଦ୍ୟାର ଅଭ୍ୟାସରେ ଲାଗିଗଲେ। ଗୁପ୍ତଚରମାନେ ପୁଣି ସେମାନଙ୍କ ଜାଲ ବିଛାଇଲେ। ସାଧାରଣ ଲୋକେ ବି ନିଜ ନିଜ କ୍ଷେତ୍ରରେ ଜାଗ୍ରତ ରହିଲେ। ଏମିତି ଅନେକ ଦିନ ଚାଲିଗଲା।
ଦିନେ ରାଜାଙ୍କ ଗୁପ୍ତଚରମାନେ ଖବର ଆଣି ପହଞ୍ଚିଲେ ଯେ ମନ୍ତ୍ରୀ କେବଳ ମିଛ କଥାଟିଏ କହିଛନ୍ତିି। କାରଣ ସେମିତି କୌଣସି ବିପଦ ନାହିଁ। 
ଏହା ଶୁଣି ରାଜା ପଚାରିଲେ ତାହା ହେଲେ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ କ’ଣ? ସେ ମନ୍ତ୍ରୀଙ୍କୁ ଡକାଇ ଏହାର କାରଣ କ’ଣ ବୋଲି ପଚାରିଲେ।
ମନ୍ତ୍ରୀ କହିଲେ- ମଣିମା ଆପଣଙ୍କ ସରଳ ବିଶ୍ବାସ ହେତୁ ଆମ ରାଜ୍ୟର ଅବସ୍ଥା ଯାହା ହୋଇଥିଲା, ଯଦି ଅକସ୍ମାତ୍‌ କୌଣସି ବିପଦ ଆସିଥାଆନ୍ତା, ତେବେ ଆମେ ସମସ୍ତେ ବିଧ୍ବସ୍ତ ହୋଇଯାଇଥାଆନ୍ତୁ। କିନ୍ତୁ ଏବେ ଦେଖନ୍ତୁ ଆମେ ମୁକାବିଲା ଲାଗି ପ୍ରସ୍ତୁତ। ବିପଦ ଘଣ୍ଟି ବଜାଇ ଆସି ନ ଥାଏ। ଚତୁର ଲୋକେ ଭାବନ୍ତି ଯେ ଆଗରେ ବିପଦ ଥାଇପାରେ, ତେଣୁ ସତର୍କ ରହିବା ଜରୁରି। ସେହି ଜାଗ୍ରତ ଭାବ ଆସୁ ବୋଲି ମୁଁ ଚାହିଁଥିଲି। ଏବେ ଆମେ ବିପଦର ମୁକାବିଲା କରିପାରିବା।