ଜଣେ ବ୍ୟକ୍ତିଙ୍କ ଜୀବନରେ ଅନେକ ବାଧାବିଘ୍ନ ଆସିବାରୁ ସେ ବିବ୍ରତ ହୋଇପଡ଼ିଲେ। ଜୀବନରେ କେମିତି ଶାନ୍ତି ଟିକିଏ ପାଇବେ ତା’ର ଉପାୟ ଜାଣିବା ଲାଗି ଜଣେ ଗୁରୁଙ୍କ ପାଖକୁ ଗଲେ। ଗୁରୁ ଥିଲେ ଜ୍ଞାନୀ। ସେ ଏକ ନଦୀ କୂଳରେ ଆଶ୍ରମଟିଏ କରି ରହୁଥିଲେ। ସେ ବ୍ୟକ୍ତି ଗୁରୁଙ୍କ ପାଖରେ ପହଞ୍ଚିଲା ବେଳକୁ ଗୁରୁ ନଦୀ କୂଳରେ ଥିବା ଏକ ପଥର ଉପରେ ବସି ନଦୀକୁ ଚାହିଁ ରହିଥିଲେ। ନଦୀ ଜଳ କୁଳୁକୁଳୁ ନାଦ କରି ବହି ଯାଉଥିଲା। ଏ ବ୍ୟକ୍ତି ସେଠି ପହଞ୍ଚି ତାଙ୍କୁ ପଚାରିଲେ- ମହାତ୍ମା, ମୋ ଜୀବନରେ ଅନେକ ସମସ୍ୟା। ଅନେକ ବାଧାବିଘ୍ନ। ଶାନ୍ତି ପାଇଲି ନାହିଁ। ଏବେ ଶାନ୍ତି ପାଇବାର ଉପାୟ କହନ୍ତୁ। 

Advertisment

ଗୁରୁ ନିଜ ଓଠରେ ଆଙ୍ଗୁଳି ଦେଇ ତାଙ୍କୁ ଚୁପ ରହିବାକୁ ଇସାରା ଦେଇ ସନ୍ତର୍ପଣରେ ନିଜ ପାଖକୁ ଟାଣି ଆଣି ବସାଇଲେ। ତା’ ପରେ ସେ ତାଙ୍କୁ ଅତି ଧୀର ଓ ମିଠା ସ୍ବରରେ କହିଲେ- କିଛି କୁହ ନାହିଁ କେବଳ ଏ ନଦୀର ସ˚ଗୀତ ଶୁଣିବାକୁ ଚେଷ୍ଟା କର। ଭଦ୍ରବ୍ୟକ୍ତି ସେଠାରେ ବସି ରହିଲେ ଏବ˚ ନଦୀର ଛଳଛଳ ବହିଯିବାର ମୃଦୁ ସ˚ଗୀତ ଶୁଣି ପୁଲକିତ ହେବାକୁ ଲାଗିଲେ। 

କିଛି ସମୟ ପରେ ଗୁରୁ ଧୀରେ କହିଲେ- ଦେଖ ଏ ନଦୀର ପ୍ରବାହକୁ। ଏହାର ପଥରେ କେତେ ଶିଳା, କେତେ ପର୍ବତ, କେତେ ବନ୍ଧବାଡ଼ ଓ ଆହୁରି କେତେ କ’ଣ ଛିଡ଼ା ହୋଇ ଏହାର ସଳଖ ବାଟକୁ ବନ୍ଦ କରିଛନ୍ତି। କିନ୍ତୁ ନଦୀ କ’ଣ ଅଟକି ଯାଇଛି? ଯେଉଁ ବାଟ ସେ ପାଇଛି ସେଇ ବାଟରେ ସେ ସାବଲୀଳ ଭାବେ ବହି ଚାଲିଛି। ପୁଣି ବଡ଼ କଥା ହେଲା ଆନନ୍ଦର ଗୀତଟିଏ ବି ଗାଇ ଚାଲିଛି। ତୁମେ ତୁମ ଜୀବନର ସବୁ ବାଧାବିଘ୍ନ ପାଇବା ସତ୍ତ୍ବେ ତାକୁ ଭ୍ରୂକ୍ଷେପ ନ କରି ଆଗକୁ ବହିଯିବ ନା କେଉଁଠି ଅଟକି ଯାଇ ପଚା ପୋଖରୀରେ ପରିଣତ ହେବ; ତାହା ତୁମ ଉପରେ ନିର୍ଭର କରେ। ଏ ନଦୀ ଯଦି କିଛି ଶିକ୍ଷା ଦେଇଛି, ତାକୁ ପୁଂଜି କରି ତୁମେ ଘରକୁ ଫେରିଯାଅ।