ରାଜା ଥରେ ତାଙ୍କ ପୁଅକୁ ନେଇ ଗୁରୁଙ୍କ ଆଶ୍ରମରେ ଛାଡ଼ି ଦେଇ ଆସିଲେ। କିଛି ବର୍ଷ ପରେ ରାଜା ଯେତେବେଳେ ପୁଅକୁ ଘରକୁ ଆଣିବାକୁ ଗଲେ, ଗୁରୁ କହିଲେ- ଅଧା ଶିକ୍ଷା ସମାପ୍ତ ହୋଇଛି।
ରାଜା କହିଲେ- କଅଣ ବାକି ଅଛି?
ଗୁରୁ କହିଲେ- ଆପଣଙ୍କ ପୁଅ ଏବେ ଜ୍ଞାନୀ। କିନ୍ତୁ ସେ ଏ ପର୍ଯ୍ୟନ୍ତ ବିଚାରବନ୍ତ ହୋଇ ପାରିନାହିଁ।
ରାଜା କହିଲେ- କେବେ ପୁଣି ଆସିବି?
ଗୁରୁ କହିଲେ- ଆଉ କିଛି ଦିନ ଛାଡ଼ି ଆସନ୍ତୁ।
ରାଜା ଘରକୁ ଫେରିଲେ। ରାଣୀ ପଚାରିଲେ- ପୁଅକୁ ଆଣିଲ ନାହିଁ?
ରାଜା କହିଲେ- ଶିକ୍ଷା ବାକି ଅଛି।
କିଛି ଦିନ ପରେ ରାଜା ପୁଣି ପୁଅକୁ ଆଣିବାକୁ ଗଲେ। ଗୁରୁ ଏଥର କହିଲେ- ଆପଣଙ୍କ ପୁଅ ଜ୍ଞାନୀ ହୋଇଯାଇଥିଲା, ଏବେ ବିଚାରବନ୍ତ ବି ହେଲାଣି। କିନ୍ତୁ ବୁଦ୍ଧିମାନ ହୋଇ ପାରିନାହିଁ। ଆଉ କିଛି ଦିନ ଲାଗିବ।
ରାଜା ପୁଣି ଘରକୁ ଫେରିଲେ।
ଆଉ କିଛି ପରେ ରାଜା ପୁଣି ଥରେ ପୁଅକୁ ଆଣିବାକୁ ଗଲେ। ଏଥର ଗୁରୁ କହିଲେ- ପୁଅକୁ ନେଇ ଯାଆନ୍ତୁ। ସେ ବୁଦ୍ଧିମାନ ହୋଇଗଲା।
ରାଜା ବହୁତ ଖୁସି ହେଲେ। ପୁଅକୁ ଧରି ବାହୁଡ଼ିବା ବେଳେ ସେ ଗୁରୁଙ୍କୁ ପଚାରିଲେ- ଆପଣ ମୋ ପୁଅକୁ ଜ୍ଞାନୀ, ବିଚାରବନ୍ତ ଓ ବୁଦ୍ଧିମାନ କଲେ। ଏହାର ତାତ୍ପର୍ଯ୍ୟ କ’ଣ?
ଗୁରୁ କହିଲେ- ଆପଣଙ୍କ ପୁଅ ଯେତେବେଳେ କେବଳ ଜ୍ଞାନୀ ସ୍ତରରେ ଥିଲା ସେତେବେଳେ ସେ କ’ଣ କହିବ ବା କରିବ ସେ କଥା ଜାଣୁଥିଲା, କିନ୍ତୁ କ’ଣ କହିବା ବା କରିବା ଉଚିତ ତାହା ଜାଣୁ ନ ଥିଲା। ବିଚାରବନ୍ତ ହେବା ପରେ ସେ ତାହା ଜାଣିଲା। କିନ୍ତୁ ସାଧାରଣ ବୁଦ୍ଧି ନ ଥାଇ ବିଚାରବନ୍ତ ହେବାର ଅର୍ଥ ଜ୍ଞାନର ସାହାଯ୍ୟ ନେଇ କିମ୍ଭୂତକିମାକାର ତର୍ଜମା କରିବା। ବୁଦ୍ଧି ଆସିଗଲା ପରେ ଜ୍ଞାନ ଓ ବିଚାର ଦିଗ ପାଇଲେ। ଏଣୁ ସେ ଏବେ ରାଜ୍ୟ ଚଳାଇବା ଲାଗି ପ୍ରସ୍ତୁତ।
କଥାଟିଏ-ଯାଯାବର: ରାଜକୁମାରଙ୍କ ଶିକ୍ଷା
ରାଜା ଥରେ ତାଙ୍କ ପୁଅକୁ ନେଇ ଗୁରୁଙ୍କ ଆଶ୍ରମରେ ଛାଡ଼ି ଦେଇ ଆସିଲେ। କିଛି ବର୍ଷ ପରେ ରାଜା ଯେତେବେଳେ ପୁଅକୁ ଘରକୁ ଆଣିବାକୁ ଗଲେ, ଗୁରୁ କହିଲେ- ଅଧା ଶିକ୍ଷା ସମାପ୍ତ ହୋଇଛି।