ଜଣେ ଶିକ୍ଷକ ଥିଲେ। ସେ ଥିଲେ ଭାରୀ କଡ଼ା। ଆଉ ଚରମ ସତ୍ୟବାଦୀ। ସେ କହୁଥିଲେ, ଅପ୍ରିୟ ହେଲେ ବି ସତ କହ। ଯଦି ରାଜାଙ୍କ ବିଷୟରେ କିଛି କହିବାର ଅଛି, ଭୟ ନ କରି, ତାଙ୍କ ମୁହଁରେ ସତ କହ। ଯଦି କୌଣସି ପିଲା ସତ କହୁ ନ ଥିଲା, ଶିକ୍ଷକ କଠୋର ଦଣ୍ତ ଦେଉଥିଲେ। ଥରେ ସେ ପଢ଼ାଉଥିବା ବେଳେ ଜଣେ ଅପରିଚିତ ଲୋକ ପହଞ୍ଚିଲେ। ସେ ଶ୍ରେଣୀ ଭିତରକୁ ପଶିଯାଇ କହିଲେ- ଆପଣଙ୍କ ଭଳି ଜଣେ କଳା ମଚମଚ ଅସୁନ୍ଦର ଲୋକ କ’ଣଣ ଶିକ୍ଷକ ହେବାକୁ ଯୋଗ୍ୟ? ଅାପଣଙ୍କୁ ଦେଖିଲେ ତ ପିଲାଏ ଡରିଯିବେ। ତା’ ସହିତ ଆପଣଙ୍କ ଗଧ ସୁଲଭ ଗଳା। ଆପଣଙ୍କୁ ଏ ବୃତ୍ତି ଦେଲା କିଏ?
ଶିକ୍ଷକ ଏଭଳି କିଛି ଶୁଣିବେ ବୋଲି ଆଶା କରୁ ନ ଥିଲେ। ସେ ବିଗିଡ଼ି ଗଲେ। ସେ କହିଲେ- ଆପଣ କିଏ ସେ? ମୋ ସହିତ ଏଭଳି ଆଚରଣ କରିବାକୁ କିଏ ଆପଣଙ୍କୁ ଅଧିକାର ଦେଲା? କିନ୍ତୁ ତାଙ୍କୁ ହତଚକିତ କରି ଜଣେ ପିଲା ଏବେ ଛିଡ଼ା ହୋଇ କହି ଦେଲା- ଆଜ୍ଞା, ଆପଣ ବିରକ୍ତ ହେଉଛନ୍ତି କାହିଁକି? ସେ ତ ଯାହା କହିଲେ ସବୁ ସତ!
ଏବେ ଶିକ୍ଷକ ସଂବିତ୍ ପାଇଲେ। ତାଙ୍କୁ ଲାଗିଲା ଏହା ଯେମିତି ତାଙ୍କୁ ଏକ ଶିକ୍ଷା ଦେବା ଲାଗି ରଚିତ ନାଟକ। କାରଣ ସେହି ଅପରିଚିତ ଲୋକ ଓ ଛାତ୍ର ଜଣକ କହିଥିବା କଥା ଭିତରେ ତାଳମଳେ ଥିଲା ଏବଂ ଥିବା ଇଙ୍ଗିତଟିଏ ବି ଥିଲା। ସେ ସେହି ଇଙ୍ଗିତ ବୁଝି ପାରିଲେ। ଟିକିଏ ସମୟ ନିରବ ରହି ସେ କହିଲେ- ଆପଣ ଯାହା କହୁଛନ୍ତି ସବୁ ସତ। ଏବଂ ଆପଣ ମୋତେ ଏକ ଶିକ୍ଷା ମଧ୍ୟ ଦେଇଦେଲେ। ତାହା ହେଲା ଅପ୍ରିୟ ସତ କହିବା ଠାରୁ ଅଧିକ ମହିତ୍ତ୍ବପୂର୍ଣ୍ଣ ହେଉଛି ଅପ୍ରିୟ ସତ ଶୁଣି କରି ବି ତାକୁ ସହିବା। ଅପ୍ରିୟ ସତ କହିଦେବାଟା ସହଜ। କିନ୍ତୁ ଶୁଣି ସହିବାଟା କଷ୍ଟ। ଅପ୍ରିୟ ସତ ଶୁଣି ସହିବାର ଅର୍ଥ ଧୈର୍ଯ୍ୟ ଶକ୍ତିର ପରୀକ୍ଷା। ତେଣୁ ସେ ଏବେ ଛାତ୍ରମାନଙ୍କୁ ଯେଉଁ ଉପଦେଶ ଦେଲେ, ତାହା ହେଲା: ଅପ୍ରିୟ ହେଲେ ବି ସତ କହ। ଆଉ କେହି ତୁମକୁ ଅପ୍ରିୟ ସତ କହିଲେ ଶୁଣି କରି ତାକୁ ସହିବା ଓ ସ୍ବୀକାର କରିବା ମଧ୍ୟ ଶିଖ।