ଦୁଇ ବନ୍ଧୁଙ୍କ ଭିତରେ ଦେଖା ହେଲା। ସେମାନଙ୍କ ଭିତରୁ ଜଣେ ବିବାହ କରି ନ ଥିଲେ। ତେଣୁ ବିବାହ କରିଥିବା ବନ୍ଧୁ ତାଙ୍କୁ ଅବିବାହିତ ରହିବାର କାରଣ ପଚାରିଲେ। ବନ୍ଧୁ କହିଲେ- ଭାଇ, ପିଲାଟି ଦିନରୁ ଈଶ୍ବରଙ୍କ ପ୍ରତି ମୋର ପ୍ରଗାଢ଼ ଭକ୍ତି କାରଣରୁ ବିବାହ କରି ସ˚ସାର ଜଞ୍ଜାଳରେ ପଶିବାକୁ ଚାହିଲି ନାହିଁ। କାରଣ ତହିଁରୁ ପୂଜା ଆରାଧନାରେ ବ୍ୟାଘାତ ଆସିବ।
ତା’ ପରେ ସେ ବିବାହିତ ବନ୍ଧୁଙ୍କୁ ପଚାରିଲେ- ତୁମର ସବୁ ଠିକ୍‌ ଚାଲିଛି ତ? ଏହା ଶୁଣି ବିବାହିତ ବନ୍ଧୁ ନିଜ ତିନି ସନ୍ତାନ ସମ୍ବଳିତ କୋଳାହଳ ମୁଖର ପରିବାର କଥା ଭାବି କେବଳ ଦୀର୍ଘଶ୍ବାସ ପକାଇଲେ। ତାଙ୍କର ଈଶ୍ବର 
ଭକ୍ତି ପ୍ରସଙ୍ଗ ନ ଉଠିବା ଭଲ ବୋଲି ସେ ଭାବିଲେ।
ବିବାହିତ ବନ୍ଧୁ ଅବିବାହିତଙ୍କୁ ସାଂଧୢ ଭୋଜନ ନିମନ୍ତେ ନିମନ୍ତ୍ରଣ କଲେ। ଅବିବାହିତ ବନ୍ଧୁ ଠିକଣା ସମୟରେ ପହଞ୍ଚିଲେ। ସେତିକି ବେଳକୁ ବିବାହିତ ବନ୍ଧୁଙ୍କ ଘର ପିଲାମାନଙ୍କ ଖେଳକୁଦ ଚାଲିଥାଏ। ବିବାହିତ ବନ୍ଧୁ ଜଣକ ବାରମ୍ବାର ପିଲାମାନଙ୍କୁ ଚୁପ୍‌ କରାଉଥାଆନ୍ତି, କିନ୍ତୁ ପିଲାମାନେ ନଛୋଡ଼ବନ୍ଦା। ଖାଇବା ପରଷା ଗଲା। ତା’ ପୂର୍ବରୁ ଦୁଇ ବନ୍ଧୁ ଈଶ୍ବରଙ୍କୁ ପ୍ରାର୍ଥନା କରିବା ଲାଗି ବସିଲେ। 
ଖାଇବା ବେଳେ ବିବାହିତ ବନ୍ଧୁ ଅବିବାହିତଙ୍କୁ ପ୍ରାର୍ଥନା ବେଳେ ପିଲାମାନଙ୍କ ରଡ଼ିଜନିତ ବ୍ୟାଘାତ ଲାଗି କ୍ଷମା ମାଗିଲେ। ଏହା ଶୁଣି ଅବିବାହିତ ବନ୍ଧୁ ତାଙ୍କ ହାତ ଧରି ପକାଇ କହିଲେ- ସତରେ ବନ୍ଧୁ ମୁଁ ଭାବୁଛି ତୁମେ କେଡ଼େ ଭାଗ୍ୟବାନ। ତୁମ ପିଲାମାନଙ୍କ କଳରବ ଭିତରେ ମୁଁ ଯେତେବେଳେ ଏକ ମନରେ ଭଗବାନଙ୍କୁ ଡାକିଲି ଏବ˚ କ୍ରମେ ମୋ କାନରୁ ପିଲାମାନଙ୍କ କୋଳାହଳ ଅପସରି ଯାଉଥିଲା, ମୋତେ ଲାଗୁଥିଲା ସତେ ଯେମିତି ଈଶ୍ବର ମୋ ହାତ ଧରି ତାଙ୍କ ନିକଟକୁ ଟାଣି ନେଉଛନ୍ତି। ମୋ ଜୀବନ ଯାକର ବିଜନତାରେ ଏ ପ୍ରକାର ଅନୁଭୂତି ନ ଥାଏ। ଭାବୁଛି ଏକୁଟିଆ ରହି ଅନେକ କିଛି ହରାଇଛି।