ବିଚାରକ ମୁଲ୍ଲା ନସିରୁଦ୍ଦିନଙ୍କ ନିକଟରେ ଜଣେ ବ୍ୟକ୍ତି ଫେରାଦ ହେଲେ ଯେ ତାଙ୍କ ମିତ୍ର ତାଙ୍କ ଠାରୁ ଅ‌େନକ ସଂପତ୍ତି ହଡ଼ପ କରି ନେଇଛି।
ନସିରୁଦ୍ଦିନ କହିଲେ- ସେ ନିଶ୍ଚିତ ଭାବେ ତୁମର ବାଲ୍ୟ ବନ୍ଧୁ ନୁହେଁ!
ଅଭିଯୋଗକାରୀ କହିଲେ- ଠିକ୍‌ କଥା। ଆପଣ କେମିତି ଜାଣିଲେ?
ନସିରୁଦ୍ଦିନ ତା’ପରେ କହିଲେ- ସେ ତୁମର ଅତି ଘନିଷ୍ଠ ବନ୍ଧୁ ହୋଇଥିବ ନିଶ୍ଚୟ ଏବଂ ତୁମେ ତାହା ଉପରେ ସଂପୂର୍ଣ୍ଣ ବିଶ୍ବାସ କରି ଯାଇଥିବ। ନ ହେଲେ ଏମିତି ଘଟିବା ସମ୍ଭବ ନୁହେଁ।
ଅଭିଯୋଗକାରୀ କହିଲେ- ଆଜ୍ଞା, ଶତ ପ୍ରତିଶତ ଠିକ୍‌।
ନସିରୁଦ୍ଦିନ କହିଲେ- ‌େସ ତୁମର ଏମିତି ପ୍ରଶଂସା କରିଥିବ ଯେ ତୁମେ ଭଳି ଯାଇ ତାକୁ ହିଁ ସବୁଠାରୁ ଅଧିକ ଭଲ ପାଇଥିବ। ତୁମର ଦୋଷ ଦେଖାଉଥିବା ବନ୍ଧୁମାନଙ୍କୁ ଦୂରେଇ ଦେଇ ତା’ର ନିକଟ ହୋଇଥିବ। ସେ ତୁମର ପରମ ବନ୍ଧୁ ହୋଇଥିବ। ତା’ ପରେ ତାକୁ ଆଖି ବୁଜି ବିଶ୍ବାସ କରିଥିବ। ତୁମ ବିଶ୍ବାସର ସୁଯୋଗ ନେଇ ସେ ତୁମକୁ ତଳିତଳାନ୍ତ କରି ଦେଇଥିବ। 
ଅଭିଯୋଗକାରୀ କହିଲେ- ଆଜ୍ଞା ପୂରା ଠିକ୍‌। ଆପଣ କେମିତି ଏତେ କଥା ଜାଣିଲେ? ସେ ଲୋକ ଆଉ କାହାକୁ ଏଭଳି ଠକିଛି ନା କ’ଣ? 
ନସିରୁଦ୍ଦିନ କହିଲେ ପ୍ରତି ମାସ ତୁମ ଭଳିଆ ଗଣ୍ଡେ ଛଅଟା କେସ୍‌ ମୁଁ ଦେଖୁଛି। ସେଥି ଲାଗି ମୂଳରୁ ଜାଣିଗଲି ଯେ ସେ ତୁମର ବାଲ୍ୟ ବନ୍ଧୁ ନୁହେଁ। ବାଲ୍ୟ ବନ୍ଧୁମାନେ ମୁହଁରେ ସିଧା ଦୋଷ ଦେଖାଇ ଦିଅନ୍ତି। ଏ ଯେଉଁ ବନ୍ଧୁଙ୍କୁ ଆମେ ବାଟରୁ ଗୋଟାଉ, ସେମାନେ ପ୍ରଶଂସା ଜାଲ ବିଛାନ୍ତି, ଯାହା ତଳେ ଠକାମିର ଦାନା ଥାଏ। ସେହି ଜାଲରେ ପଡ଼ି ଆମେ କଲବଲ ହେଉ। 
ଅଭିଯୋଗକାରୀ କହିଲେ- ସତ କଥା। ବଢ଼ିଆ ଉପଦେଶଟିଏ ଦେଲେ। ଆପଣ ମହାନ। 
ନସିରୁଦ୍ଦିନ କହିଲେ- ଥାଉ, ସେତିକି ପ୍ରଶଂସା କର।