ଗୋଟିଏ ଗାଁରେ ଥିଲେ ଜଣେ ଚାଷୀ। ଲୋକେ କହୁଥିଲେ ଯେ ତାଙ୍କ ଉପରେ ଈଶ୍ବରଙ୍କ ଆଶୀର୍ବାଦ ଅଛି। କାରଣ ଯେତେ ଯାହା ଦୈବୀ ଦୁର୍ବିପାକ ହେଲେ ବି ତାଙ୍କ ଅମଳ କେବେ ବି କମୁ ନ ଥିଲା। ସେ ଯେଉଁ ଶସ୍ୟ ଉତ୍ପାଦନ କରୁଥିଲେ, ତା’ର ମାନ ଥିଲା ଅନ୍ୟ ଚାଷୀମାନଙ୍କ ଠାରୁ ଭଲ। ଚାଷୀ ମଧୢ ଥିଲେ ଦୟା, କ୍ଷମା, ଧୈର୍ଯ୍ୟଶୀଳତା ଭଳି ଗୁଣର ଅଧିକାରୀ। ତାଙ୍କୁ ସମସ୍ତେ ଭଲ ପାଉଥିଲେ।
କିନ୍ତୁ ତାଙ୍କୁ ପ୍ରବଳ ଈର୍ଷା କରୁଥିଲେ ତାଙ୍କ ପଡ଼ୋଶୀ। ଦିନେ ଈର୍ଷାଳୁ ପଡ଼ୋଶୀ ଭାବିଲେ ଯେ ସଫଳ ଚାଷୀଙ୍କ ବର୍ଷକ ଯାକର ଶସ୍ୟ ରହିଥିବା ଅମାର ଘରେ ନିଆଁ ଲଗାଇଦେବେ। ଏକ ନିଶାର୍ଦ୍ଧରେ ସେ ତାହା ହିଁ କଲେ। ଚାଷୀଙ୍କ ଅମାର ଘର ଜଳି ଉଠିଲା ଏବ˚ ତା’ ପରେ ନିଆଁରେ ତାଙ୍କ ଘରଦ୍ବାର ସବୁ କିଛି ଜଳି ଭସ୍ମୀଭୂତ ହୋଇଗଲା। କ୍ଷଣିକ ଭିତରେ ସେ ଭିକାରି ହୋଇଗଲେ।
କିନ୍ତୁ ଚାଷୀଙ୍କୁ ସମସ୍ତେ ଭଲ ପାଉଥିବାରୁ ତାଙ୍କ ପ୍ରତି ସମବେଦନା ଓ ସାହାଯ୍ୟର ସୁଅ ଛୁଟିଲା। ସେ ପୁଣି ତାଙ୍କ କାମରେ ଲାଗିଲେ। କିନ୍ତୁ କିଛି ଦିନ ଭିତରେ ଜଣା ପଡ଼ିଗଲା ଯେ କାମଟି ହେଉଛି ତାଙ୍କ ପଡ଼ୋଶୀଙ୍କର। ଏବେ ଗାଁ ଲୋକେ ଭୀଷଣ ଉତ୍ତେଜିତ ହୋଇ ତାଙ୍କୁ ଦଣ୍ଡ ଦେବାକୁ ବାହାରିଲେ। କିନ୍ତୁ ଚାଷୀ ସେମାନଙ୍କୁ ମନା କଲେ ଏବ˚ ଏତିକି କହିଲେ ଯେ ସେମିତି କରନାହିଁ। ଈଶ୍ବର ରାଗିବେ।
ଗାଁ ଲୋକେ ବିସ୍ମୟ ଭରେ ପଚାରିଲେ- ଈଶ୍ବର ରାଗିବେ କାହିଁକି? ଚାଷୀ ବୁଝାଇଦେଲେ- ଈଶ୍ବର ଆମ ଦୁହିଁଙ୍କୁ ଅଲଗା ପ୍ରକାରେ ଗଢ଼ିଛନ୍ତି। ତାଙ୍କ ବିରୋଧରେ ପ୍ରତିଶୋଧ ନେବାର ଅର୍ଥ ହେଲା ତାଙ୍କ ଭଳି ହୋଇଯିବା। ସେ ଯେମିତି କଲେ ତାଙ୍କ ସହିତ ସେମିତି କରିବା। ଏଭଳି ସ୍ଥଳେ ଆମ ଭିତରେ କିଛି ପ୍ରଭେଦ ରହିବ ନାହିଁ। ତେଣୁ ଈଶ୍ବର ରାଗିବେ!