ଶିଷ୍ୟମାନଙ୍କ ସହିତ ସନ୍ଥ ଫରିଦ ଆଗକୁ ଚାଲିଥିବା ବେଳେ ଜଣେ ଶିଷ୍ୟ ପ୍ରଶ୍ନ କଲା- ଆପଣଙ୍କୁ ଆମେମାନେ ଯେଉଁ ପ୍ରଶ୍ନ କରୁ ତା’ର ଯଥାର୍ଥ ଉତ୍ତର ଆପଣ ପାଆନ୍ତି କେମିତି? ଆମ ମନରେ ଅନେକ ପ୍ରଶ୍ନ, ଆପଣଙ୍କ ମନରେ ସେମିତି ପ୍ରଶ୍ନ ଉଠେ ନାହିଁ କି? ଯଦି ଉଠିଲା, ତେବେ ତା’ର ଉତ୍ତର ଆପଣ ପାଇବେ କାହାଠାରୁ?
ମରୁଭୂମିରେ ଚାଲିଥିବା ବେଳେ ତୃଷାର୍ତ୍ତ ଫରିଦ ଓ ତାଙ୍କ ଶିଷ୍ୟ ଦଳ ସେତେବେଳେ ପାଣିର ଏକ ଉତ୍ସ ଖୋଜୁଥିଲେ। ସେତିକି ବେଳେ ଆସିଲା ଏଭଳି ପ୍ରଶ୍ନ! ଫରିଦ ଉତ୍ତର ନ ଦେଇ ହଠାତ୍‌ କହି ଉଠିଲେ- ମିଳିଗଲା!
କ’ଣ ମିଳିଗଲା?
ଆଙ୍ଗୁଳି ଠାରି ଦେଇ ଫରିଦ କହିଲେ- କୂଅ।
କିଛି ଦୂରରେ ଥିଲା ଗୋଟିଏ କୂଅ। କୂଅ ପାଖକୁ ଯାଇ ସେମାନେ ଦେଖିଲେ ଯେ ତାହା ଏତେ ଗଭୀର ଯେ ତଳ ଦିଶୁ ନାହିଁ। ଭିତରଟି କେବଳ କିଟିକିଟି ଅନ୍ଧାର। 
ଶିଷ୍ୟମାନେ ପଚାରିଲେ- ଏଠି ପାଣି ଅଛି ତ?
ଫରିଦ କହିଲେ- ଜାଣିବା ଲାଗି ଭିତରକୁ ଓହ୍ଲାଇବାକୁ ହେବ। 
ଜଣେ ଶିଷ୍ୟ ଥିଲା ଅପୂର୍ବ ସାହସୀ। କୂଅ କାନ୍ଥରେ ହୋଇଥିବା ପାଦରଖା ଉପରେ ପାଦ ଦେଇ ଅତି ସତର୍କତାର ସହ ସେ ଓହ୍ଲାଇଲା। କିଛି ସମୟ ପରେ ସେ ଉପରକୁ ଉଠିଲା। କୂଅରେ ପାଣି ଥିଲା। 
ତୃଷା ମେଣ୍ଟାଇବା ପରେ ଫରିଦ ସେହି ଶିଷ୍ୟକୁ କହିଲେ- ଦେଖ, କୂଅଟି ଆମ ଆଗରେ ଉଭା ହୋଇଗଲା ଏକ ପ୍ରଶ୍ନ ଭଳି! ଆମ ମନରେ ପ୍ରଶ୍ନ ଉଠିଲା, ପାଣି ଅଛି ତ? କୂଅ ଭିତରକୁ ପଶିଲା ପରେ ଯାଇ ଉତ୍ତର ମିଳିଲା ଯେ ପାଣି ଅଛି। ଏବେ କ’ଣ ବୁଝିଲ?
ଶିଷ୍ୟ କହିଲା- ବୁଝିଗଲି, ପ୍ରଶ୍ନର ଯଥାର୍ଥ ଉତ୍ତର ପାଇବାକୁ ହେଲେ ପ୍ରଶ୍ନ ଭିତରକୁ ପଶିଯିବାକୁ ହୁଏ। ତା’ ଭିତରେ ବୁଡ଼ିଯିବାକୁ ହୁଏ।