ମୁଲ୍ଲା ନସିରୁଦ୍ଦିନ ଥିଲେ ତାଙ୍କ ଗାଁର ସବୁଠାରୁ ବିଚକ୍ଷଣ ପରାମର୍ଶଦାତା। ଲୋକେ ବିପଦ ଆପଦରେ ତାଙ୍କ ପାଖକୁ ଉପଦେଶ ନେବା ଲାଗି ଆସୁଥିଲେ। ସେ ଗାଁରେ ରହୁଥିଲା ଚାଷୀଟିଏ।ଚାଷୀର ବହୁତ ସମସ୍ୟା। ଦିନେ ଚାଷୀ ତମତମ ହୋଇ ପହଞ୍ଚିଲା ନସିରୁଦ୍ଦିନଙ୍କ ପାଖରେ। ସେ କହିଲା- ମୁଲ୍ଲା, କଅଣ କରିବି କୁହ? ମୋ ବଳଦ ଦୁଇଟି ଭାରି ଅଳସୁଆ। କାମ କରୁ ନାହାନ୍ତି। 
ମୁଲ୍ଲା ଆଖି ବୁଜି ସବୁ ଶୁଣିଲେ ଏବ˚ କହିଲେ- ଭାଗ୍‌। 
ଚାଷୀ ବିସ୍ମିତ ହୋଇଗଲା କିନ୍ତୁ ଯେତେବେଳେ ଦେଖିଲା ମୁଲ୍ଲା କିଛି ଶୁଣିବା ଅବସ୍ଥାରେ ନାହାନ୍ତି, ସେ ବାଧୢ ହୋଇ ପଳାଇଗଲା। ମନେ ମନେ ସେ ମୁଲ୍ଲାଙ୍କ ଉପରେ ଗରଗର ହେଲା। କିନ୍ତୁ କରିବ କଅଣ? ତା’ର ତ ବହୁତ ସମସ୍ୟା। ସେ ବାରମ୍ବାର ମୁଲ୍ଲାଙ୍କ ପାଖକୁ ଦୌଡୁଥାଏ। କେତେବେଳେ ପଡ଼ୋଶୀ ନାମରେ ଅଭିଯୋଗ ତ କେତେବେଳେ ନିଜ ଭାଇମାନଙ୍କ ନାମରେ ଫେରାଦି ତ କେତେବେଳେ ଆଉ କିଛି। ମୁଲ୍ଲାଙ୍କ ସର୍ବଦା ଗୋଟିଏ ଉତ୍ତର- ଭାଗ୍‌। 
ଦିନେ ଚାଷୀ ହତାଶ ହୋଇ ତା’ ସ୍ତ୍ରୀକୁ କହିଲା- ଏ ମୁଲ୍ଲା ଏମିତି କାହିଁକି ହେଉଛି? ମୋର କୌଣସି ସମସ୍ୟାର ସମାଧାନ ନାହିଁ। ଖାଲି କହୁଛି ଭାଗ୍‌?
ଚାଷୀର ସ୍ତ୍ରୀ ବୁଦ୍ଧିମତୀ। ସେ କହିଲା- ତୁମେ ମୁଲ୍ଲା ପାଖକୁ ଯାଇ ଧୀର ହୋଇ ବସ। କାହା ନାମରେ ଅଭିଯୋଗ ନ କରି କେବଳ କୁହ- ମୁଲ୍ଲା, ମୋତେ ବାଟ ଦେଖାଅ।
ଚାଷୀ ସେୟା କଲା। 
ଏଥର ମୁଲ୍ଲା କହିଲେ- ହଉ ଶୁଣ। ତୋର ସମସ୍ୟା କେବଳ ଗୋଟିଏ। ତାହା ହେଲା ବଳଦ ଠାରୁ ଆରମ୍ଭ କରି ପଡ଼ୋଶୀ, ପୁଅବୋହୂ, ତୋର ଭାଇମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁଧାରିବାକୁ ଚାହୁଁ। କିନ୍ତୁ ତାହା ହେବା ଅସମ୍ଭବ। କେବଳ ତୁ ନିଜେ ସୁଧୁରିଗଲେ ତୋର ଅନେକ ସମସ୍ୟା ଦୂର ହୋଇଯିବ। ଆଉ ନିଜକୁ ସୁଧାରିବା ତୋ ହାତର କଥା।