ଥରେ ସମ୍ରାଟ ଆକବର ବୀରବଲଙ୍କୁ ଏକ ମାମଲା ବିଚାର କରିବାର ଦାୟିତ୍ବ ଦେ‌େଲ। ବୀରବଲ କେମିତି ବିଚାର କରୁଛନ୍ତି ତାହା ଦେଖିବା ଲାଗି ଆକବର ସେଠାରେ ଉପସ୍ଥିତ ରହିଲେ। ବୀରବଲ ଥିଲେ ଅତ୍ୟନ୍ତ ବୁଦ୍ଧିମାନ। ତେଣୁ ଆକବର ଭାବିଲେ ଯେ ବୀରବଲ ଭଲ ବିଚାର କରିବେ। 
ବିଚାର ଆରମ୍ଭ ହେଲା। ଗୋଟିଏ ପକ୍ଷ ତା’ କଥା କହିଲା। ତା’ କଥା ସରିବା ପରେ ପରେ ବୀରବଲ ତୁରନ୍ତ ରାୟ ଶୁଣାଇ ଦେଇ କହିଲେ- ତୁମେ ଠିକ୍‌ କହୁଛ। ତୁମେ ନିର୍ଦୋଷ ଆଉ ଆର ପକ୍ଷ ଦୋଷୀ। 
ଏହା ଦେଖି ଆକବର କହିଲେ- ବୀରବଲ ଟିକିଏ ରହ। ଗୋଟିଏ ପକ୍ଷକୁ ଶୁଣି ରାୟ ଦିଆଯାଏ କି? ଆର ପକ୍ଷକୁ ଶୁଣିବ ନାହିଁ?
ବୀରବଲ କହିଲେ- ଆପଣ କହୁଛନ୍ତି ବୋଲି ଆର ପକ୍ଷର କଥା ଶୁଣିବି! କିନ୍ତୁ ଦୁଇ ପକ୍ଷ ଶୁଣିଲେ ମହା ଝାମେଲା। 
ଆକବର ଟିକିଏ ଚଢ଼ା ଗଳାରେ କହିଲେ- କି ଝାମେଲା? ଶୁଣିବାକୁ ତ ପଡ଼ିବ। 
ବୀରବଲ ଅପର ପକ୍ଷର କଥା ବି ଶୁଣିଲେ। ତା’ ପରେ ରାୟ ଦେଲେ: ଏହି ପକ୍ଷର କଥା ମଧ୍ୟ ପୂରା ଠିକ୍‌। ସୁତରାଂ, ଉଭୟ ପକ୍ଷ ଏକା ସାଙ୍ଗରେ ଦୋଷୀ ଓ ନିର୍ଦ୍ଦୋଷ। 
ଏହା ଶୁଣି ରାଜା କହିଲେ- ବୀରବଲ ଏ କି ପ୍ରକାର ବିଚାର? ଦୁଇଟି ପକ୍ଷ ଏକା‌ ସାଙ୍ଗରେ ଠିକ୍‌ ହେବେ କେମିତି?
ବୀରବଲ ବିଚାରପତିଙ୍କ ଚଉକିରୁ ଉଠି ପଡ଼ିଲେ ଓ କହିଲେ- ହଜୁର, ଆପଣଙ୍କ କଥା ବି ଠିକ୍‌। ଆପଣଙ୍କୁ କହୁ ନ ଥିଲି ଦୁଇଟି ପକ୍ଷକୁ ଶୁଣିଲେ ମହା ଝାମେଲା!