ରାଜା ଘୋଡ଼ା ଉପରେ ବସି ଯାଉଥିଲେ। ବୁଲୁଥିଲେ ସିନା, ହେଲେ ରାଜାଙ୍କ ମୁଣ୍ଡରେ ରାଜ୍ୟ ଯାକର ଚିନ୍ତା। ହଠାତ୍ ମନ୍ଦିର ପ୍ରାଙ୍ଗଣରେ ଚାରି କାତ ମେଲାଇ ପଡ଼ିଥିବା ଜଣେ ଯୁବକକୁ ଦେଖି ଅଟକିଗଲେ। ରାଜାଙ୍କ ଦଳବଳ ସେଇ ବାଟେ ଗଲା ସତ, ଉଠିବା କଥା ଦୂରେ ଥାଉ ଯୁବକଟି ସେ ଆଡ଼କୁ ଚାହିଁଲା ନାହିଁ ମଧ୍ୟ। ରାଜାଙ୍କ ମନରେ ଈର୍ଷା ଜାଗି ଉଠିଲା। ସେ ଭାବିଲେ- କି ଭାଗ୍ୟ ତା’ର! କିଛି ଚିନ୍ତା ନାହିଁ!
ରାଜା ଏ କଥା ମନ୍ତ୍ରୀଙ୍କୁ କହିଲେ। ମନ୍ତ୍ରୀ କହିଲେ- ମଣିମା ଆଉ ମାସକ ପରେ ସେଇ ବାଟେ ପୁଣି ଯିବେ। ସେଇ ମନ୍ଦିରରେ ସେଇ ଯୁବକ ଥିବ, କିନ୍ତୁ ଦେଖିବେ ବଦଳି ଯାଇଛି।
ରାଜା କହିଲେ- ତାକୁ ଧମକାଇବ ନା କ’ଣ? 
ମନ୍ତ୍ରୀ କହିଲେ- ନା ମଣିମା, ବରଂ ତାକୁ ପୁରସ୍କାର ଦେବି।
ପର ଦିନ ଜଣେ ଦୂତ ଯାଇ ସେହି ଯୁବକକୁ କହିଲା- ଦିନକୁ ଦଶ ଟଙ୍କା ମଜୁରି ମିଳିବ। କାମ ଖାଲି ଏତିକି ସକାଳ ଓ ସନ୍ଧ୍ୟା ଛଅଟାରେ ମନ୍ଦିର ଫାଟକ ପାଖରେ ଦୀପଟିଏ ଜଳାଇବାକୁ ହେବ।
ଯୁବ ଖୁସିରେ ରାଜି ହୋଇଗଲା। ଏବେ ଅନ୍ତତଃ ଦିନକୁ ଦଶ ଟଙ୍କା ମିଳିବ। ଖାଇବା ଚିନ୍ତାଟି ଅନ୍ତତଃ ଗଲା। କାମଟି ବି ଥାଇ ନ ଥିଲା ଭଳି। 
ମାସକ ପରେ ରାଜା ସେଇ ବାଟେ ଗଲେ। ଯୁବକଟି ମନ୍ଦିର ପ୍ରାଙ୍ଗଣରେ ବସିଥିଲା ଓ ଆଗ ଭଳି ଅଚିନ୍ତ ଦିଶୁ ନ ଥିଲା। ରାଜାଙ୍କ ଦଳବଳକୁ ଦେଖି ସେ ଉଠି ପଡ଼ି ଅଭିବାଦନ କଲା।
ମନ୍ତ୍ରୀ ଏବେ ରାଜାଙ୍କୁ କହିଲେ- ମଣିମା, ଏବେ ଆଉ ତାକୁ ଈର୍ଷା କରିବାର କାରଣ ନାହିଁ। ସେ ଯୁବକର ସ୍ବଭାବରେ ଯେଉଁ ବେଫିକର ଭାବ ଥିଲା, ତାହା ଆଉ ନାହିଁ। ସେହି ଭାବଟି ଥିଲା ତା’ର ବଳ। ଏବେ କେତେବେଳେ ଛଅଟା ବାଜିଯିବ ସେ ଚିନ୍ତାରେ ସେ ଭଲରେ ଶୋଇବସି ପାରୁନାହିଁ। ପୁଣି ତା’ ସହିତ ଅଛି ଟଙ୍କାର ହିସାବ। ଆପଣଙ୍କ ଭଳି ତା’ ମୁଣ୍ଡରେ ଚିନ୍ତା ପଶିଲାଣି। 

Advertisment