ଦୁଇ ଜଣ ସନ୍ନ୍ୟାସୀ ଥିଲେ। ଥରେ ଦୁହେଁ ଗୋଟିଏ ସହରକୁ ବାହାରିଲେ। ସେମାନଙ୍କ ଭିତରୁ ଜଣେ ସନ୍ନ୍ୟାସୀ ପାଖରେ ଏକ ବଡ଼ ଛୁରୀ ରଖିଥିବାର ଦେଖି ଦ୍ବିତୀୟ ସାଧୁ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଥମ ସାଧୁ ଜଣକ ମଧ୍ୟ ଊଣାଅଧିକେ ଜଣେ ଯୋଦ୍ଧା ଭଳି ଦିଶୁଥିଲେ। ତେଣୁ ଦ୍ବିତୀୟ ସାଧୁ ଜଣକ ନିଜକୁ ପ୍ରଶ୍ନ କରୁଥିଲେ ଯେ ଜଣେ ସନ୍ନ୍ୟାସୀ ହୋଇ ପାଖରେ ଅସ୍ତ୍ର ରଖିବାର ଅର୍ଥ କ’ଣ? ଦିନେ ସମ୍ଭାଳି ନ ପାରି ସେ ସେଇ ପ୍ରଶ୍ନଟି ପଚାରିଦେଲେ। ପ୍ରଥମ ସାଧୁ କୌଣସି ଉତ୍ତର ଦେଲେ ନାହିଁ। ଦୁହେଁ ଯାତ୍ରା ଜାରି ରଖିଲେ। ତେବେ, ସେମାନଙ୍କ ଯୋଗ ଖରାପ ଥିଲା। କାରଣ ବାଟରେ କିଛି ଦୁଷ୍ଟ ପ୍ରକୃତିର ଲୋକଙ୍କ ହାବୁଡ଼ରେ ପଡ଼ିଗଲେ। ସେ ଯୁବକମାନେ ଦୁଇ ସାଧୁଙ୍କୁ ଦେଖି ସେମାନଙ୍କ ସହ ଯାବତୀୟ ଉତ୍ପାତ କଲେ। ଉଭୟ ସାଧୁ ଜୀବନରେ କେବେ ବି ଏଭଳି ଅପମାନ ଓ ଲା˚ଛନାର ଶିକାର ହୋଇ ନ ଥିଲେ। ତେବେ ଯାହା ହେଉ, କିଛି ସମୟ ପରେ କିଛି ଭଲ ଲୋକ ଜୁଟି ସାଧୁ ଦ୍ବୟଙ୍କୁ ରକ୍ଷା କଲେ।
ସେଠାରୁ ମୁକ୍ତି ପାଇବା ପରେ ଦ୍ବିତୀୟ ସାଧୁ ପ୍ରଥମଙ୍କୁ ପଚାରିଲେ- ଭାଇ ମୁଁ ତ ନିରସ୍ତ୍ର। କିନ୍ତୁ ମୁଁ ଜାଣେ ତୁମ ପାଖରେ ଅସ୍ତ୍ର ଅଛି। ତୁମେ ତାହା ବ୍ୟବହାର କଲ ନାହିଁ କାହିଁକି? ଅନ୍ତତଃ ପକ୍ଷେ ଭୟ ତ ଦେଖାଇ ପାରିଥାଆନ୍ତ! ପ୍ରଥମ ସାଧୁ କହିଲେ- ଭାଇ ମୁଁ ବି ନିରସ୍ତ୍ର ଥିଲି। ଯଦିଓ ମୋ ପାଖରେ ଥିବା ଏହି ବସ୍ତୁଟି ଗୋଟିଏ ଛୁରୀ। ଏହା ବି ସତ ଯେ ଛୁରୀ ଚାଳନା କରିବାରେ ମୋ ସମକକ୍ଷ ଖୁବ୍ କମ୍ ଲୋକ ଥିବେ। ହେଲେ, କଅଣ ହେବ? ମୁଁ ତ ମୋ ଚେତନାରେ ନିରସ୍ତ୍ର। ଏ ଅସ୍ତ୍ର ରଖିବାର କାରଣ ହେଲା ଯେତେ ଦରକାର ପଡ଼ିଲେ ବି ଏହାକୁ ବ୍ୟବହାର ନ କରିବାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଚେଷ୍ଟା କରିବା। ତାହା ହିଁ ମୋ ଲାଗି ସବୁଠାରୁ ବିଷମ ଅଗ୍ନି ପରୀକ୍ଷା।