ଗୋଟିଏ ଯୁଦ୍ଧରେ ଦୁଇ ପକ୍ଷର ସେନାପତିଙ୍କ ଭିତରେ ଘମାଘୋଟ ଯୁଦ୍ଧ ଚାଲିବା ପରେ ଜଣେ ଭୂପତିତ ହେଲେ। ତାଙ୍କ ଗଳାକୁ ବିଦ୍ଧ କରିବାକୁ ଆର ଜଣକ ଉଦ୍ୟତ ହେଉଥିଲା ବେଳେ ଅଟକି ଗଲେ। କାରଣ ପରାଜିତ ସେନାପତି ବି ଥିଲେ ଜଣେ ଚମତ୍କାର ଯୋଦ୍ଧା। ଏଇ ସମୟରେ ପରାଜିତ ସେନାପତି ହଠାତ୍‌ କହି ଉଠିଲେ- କଅଣ ଭାବୁଛ? ମୋତେ ହତ୍ୟା କରିବ କି ନାହିଁ? 
କିନ୍ତୁ ଅଟକି ଯାଇଥିବା ସେନାପତି ତାହା ଶୁଣି ପାରୁ ନ ଥିଲେ। କାରଣ ତାଙ୍କ ମୁଣ୍ତରେ ଦୁଇଟି ପ୍ରଶ୍ନ ଲହଡ଼ି ଭାଙ୍ଗୁଥିଲା। ତାହା ହେଲା, ତାହାଙ୍କୁ ହତ୍ୟା କରି ଠିକ୍‌ କରିବି ନା ଭୁଲ୍‌? ଭଲ କରିବି କି ମନ୍ଦ? 
ସେ ସେଇ ପରାଜିତ ସେନାପତିଙ୍କୁ ଛାଡ଼ି ଦେଲେ କିନ୍ତୁ ମନରେ ଥିବା ଏ ପ୍ରଶ୍ନ ଦ୍ବୟର ଉତ୍ତର ଲାଗି ନିଜ ଗୁରୁଙ୍କ ପାଖକୁ ଗଲେ। 
ଗୁରୁ ଏହା ଶୁଣି କହିଲେ- ତୁମେ ଯେମିତି ତୁମ ଦେଶ ଲାଗି ଲଢୁଛ, ସେ ବି ସେମିତି ଲଢୁଥିଲେ। ଦେଶ ଦୁଇଟି ପରସ୍ପରର ଶତ୍ରୁ, ହୋଇଥିବାରୁ ତୁମେ ଦୁହେଁ ପରସ୍ପରର ଶତ୍ରୁ। ତେଣୁ ଦେଶ ଦୃଷ୍ଟିରୁ ବିଚାର କଲେ ତାଙ୍କୁ ହତ୍ୟା କରିବା ନୀତି ହିସାବରେ ଠିକ୍‌ ହୋଇଥାଆନ୍ତା।
କିନ୍ତୁ, ଦେଶ ପ୍ରସଙ୍ଗକୁ ହଟାଇ ଦେଲେ ତାଙ୍କ ଓ ତୁମ ଭିତରେ ପ୍ରଭେଦ ନାହିଁ। ତୁମ ଭଳି ସେ ବି ଜଣେ ମଣିଷ। ତାଙ୍କର ବି ପିଲା ପରିବାର ଓ ବନ୍ଧୁବାନ୍ଧବ ଅଛନ୍ତି। ସେଇ ଦୃଷ୍ଟିରୁ ତୁମେ ଦୁହେଁ ପ୍ରାୟ ସମାନ। ତେଣୁ ନୀତି ଦୃଷ୍ଟିରୁ ହତ୍ୟା କରିବା ଯଦିଓ ଠିକ୍‌ ହୁଅନ୍ତା, ମାନବୀୟ ବିଚାରରୁ ତାହା ଭଲ ଭଲ କାମ ହୁଅନ୍ତା ନାହିଁ। ଭଲ ଓ ମନ୍ଦର ବିଚାର ହେଉଛି ନୈତିକତାର ପ୍ରଶ୍ନ। ତେଣୁ ନୈତିକତା ଦୃଷ୍ଟିରୁ ତାହା ହୁଏତ ଯେ କୌଣସି ହତ୍ୟା ଭଲ କାମ ହୋଇ ନ ଥାଏ।
କଥାଟି କହି ଗୁରୁ କହିଲେ- ଅନେକ ସମୟରେ ଯାହା ଠିକ୍‌ ତାହା ହୁଏତ ଭଲ ହୋଇ ନ ପାରେ। ଅନେକ ବ୍ୟକ୍ତି ‌ଏହି ପ୍ରଭେଦ ଦେଖି ପାରନ୍ତି ନାହିଁ। ତୁମ ମନରେ ଏ ନେଇ ପ୍ରଶ୍ନଟିଏ ଉଠିଲା, ତାହା ତୁମ ଗୁରୁ ଭାବେ ମୋ‌େତ ଆନନ୍ଦିତ କରିଛି।