ଶସ୍ତ୍ର ବିଦ୍ୟା ଶିକ୍ଷା ପାଇବା ପାଇଁ ରାଜକୁମାରଙ୍କୁ ନେଇ ରାଜା ପହଞ୍ଚିଲେ ଗୁରୁଙ୍କ ପାଖରେ। ଗୁରୁ ଜଣକ ଥିଲେ ସେ ରାଜ୍ୟର ସର୍ବଶ୍ରେଷ୍ଠ ଶସ୍ତ୍ର ଗୁରୁ। 
ଗୁରୁ ଯୁବରାଜଙ୍କୁ ଗ୍ରହଣ କଲେ ସତ, କିନ୍ତୁ ତୁରନ୍ତ ତାଙ୍କୁ ନିଜ ଗୁରୁଙ୍କ ପାଖକୁ ପଠାଇଦେଲେ। ରାଜକୁମାର ବିସ୍ମୟ ପ୍ରକାଶ କରନ୍ତେ ଗୁରୁ କହିଲେ- ତୁମେ ଯଦି ସବୁଠାରୁ ଭଲ ଯୋଦ୍ଧା ହେବାକୁ ଚାହଁ, ତେବେ ମୋ ଗୁରୁଙ୍କ ପାଖକୁ ଯିବାକୁ ହେବ। ତେଣୁ ରାଜକୁମାର ଗୁରୁଙ୍କ ଗୁରୁଙ୍କ ପାଖକୁ ଚାଲିଲେ। 
ଗୁରୁଙ୍କ ଗୁରୁ ପ୍ରକୃତରେ ଥିଲେ ଜଣେ ଚଣ୍ତାଳ। ସ˚ସାର ଦୃଷ୍ଟିରେ ଯାହା ଘୃଣ୍ୟ ତାହା ସେ କରୁଥିଲେ। ସେ ରାଜକୁମାରଙ୍କୁ ଗ୍ରହଣ କଲେ ଏବ˚ ତାଙ୍କୁ ନିଜ କାମରେ ଲଗାଇ ଦେଲେ। ରାଜକୁମାର ଅସ୍ବସ୍ତି ଅନୁଭବ କଲେ। ସେ ଏଭଳି ଶିକ୍ଷାର ମର୍ମ ବୁଝି ପାରିଲେ ନାହିଁ। କିନ୍ତୁ ଗୁରୁଙ୍କ ଆଜ୍ଞା ଥିଲା ବୋଲି ସେ ଲାଗି ରହିଲେ। ସେ କାମ ସ˚ପାଦନ କରିବା ନିହାତି କଷ୍ଟକର ଥିଲା। କିନ୍ତୁ ରାଜକୁମାର ଧୈର୍ଯ୍ୟ ରଖିଲେ। ସେ ମୁଣ୍ଡ ପାତି ସବୁ ସହିଗଲେ। ଅନେକ ଦିନ ବିତିଗଲା। ସବୁ କିଛି ଦେହସୁହା ହୋଇଗଲା। ରାଜପୁତ୍ର ଚାଣ୍ତାଳ ପ୍ରାୟ ହୋଇଗଲେ। 
ଏଇ ସମୟରେ ଦିନେ ସେଠାରେ ପହଞ୍ଚିଲେ ଗୁରୁ ଏବ˚ ତାଙ୍କ ସାଙ୍ଗରେ ଥିଲେ ରାଜା। ରାଜା ନିଜ ପୁଅର ଅବସ୍ଥା ଦେଖି ସ୍ତମ୍ଭୀଭୂତ ହୋଇଗଲେ। ସେ କାନ୍ଦି ପକାଇ କହିଲେ- ଆପଣ ମୋ ପୁଅର ୟେ କି ଅବସ୍ଥା କରିଛନ୍ତି?
ଗୁରୁ କହିଲେ- ମହାରାଜ ଏବେ ଆପଣଙ୍କ ପୁଅ ହେବ ପୃଥିବୀର ସବୁଠାରୁ ଉତ୍ତମ ଯୋଦ୍ଧା। ଏବେ ସେ ଶସ୍ତ୍ର ବିଦ୍ୟା ଶିଖିବା ଲାଗି ସଂପୂର୍ଣ୍ଣ ପ୍ରସ୍ତୁତ। ଜଣେ ଉତ୍ତମ ଯୋଦ୍ଧା କେବେ ହେଲେ ଧରି ନିଏ ନାହିଁ ଯେ ସେ ସଦାବେଳେ ଯୁଦ୍ଧରେ ଜିତିବ। ସେ ହାରିଯିବାର ଆଶଙ୍କା ରହିଛି। କିନ୍ତୁ ପ୍ରକୃତ ଯୋଦ୍ଧା ହାରି ଗଲେ ସୁଦ୍ଧା ପରାସ୍ତ ହୁଏ ନାହିଁ। ସେ ଜିଣିବାର ଅଦମ୍ୟ ଆଗ୍ରହକୁ ବଜାୟ ରଖେ। ସେଥି ଲାଗି ଯେଉଁ ଚାରିତ୍ରିକ ଉପାଦାନ ଲୋଡ଼ା, ତାହା ଏବେ ରାଜକୁମାରଙ୍କ ନିକଟରେ ଅଛି। ଏବେ ସେ ମୋ ଠାରୁ ଶସ୍ତ୍ର ବିଦ୍ୟା ଶିଖିବେ।

Advertisment