ଶିକ୍ଷକ ଶ୍ରେଣୀର ପିଲାମାନଙ୍କୁ ଗପଟିଏ କହିଲେ। ସେ ଏୟା ଜଣାଇବାକୁ ଚାହୁଁଥିଲେ ଯେ ପ୍ରତ୍ୟେକ ଛାତ୍ର ଓ ଛାତ୍ରୀ ପରସ୍ପର ଠାରୁ ଭିନ୍ନ। ତେଣୁ ନିଜକୁ ବୁଝି ନିଜେ କେଉଁଥିରେ ଭଲ କରିପାରିବ, ସେଥିରେ ସେମାନେ ମନ ଦିଅନ୍ତୁ। କାହାକୁ ଅନୁକରଣ କରନ୍ତୁ ନାହିଁ। 
ଶିକ୍ଷକ ଗପ ଆରମ୍ଭ କଲେ। ଗୋଟିଏ ଶକ୍ତିଶାଳୀ ବାଜପକ୍ଷୀ ଥିଲା। ସେ ଉଚ୍ଚ ଆକାଶରୁ ଝା˚ପ ମାରି ନଦୀରେ ପହଁରି ଯାଉଥିବା ମାଛଙ୍କୁ ଟେକି ନେଇପାରୁଥିଲା। ତେଣୁ ସମସ୍ତେ ତା’ର ବହୁତ ପ୍ରଶ˚ସା କରୁଥିଲେ। ଏହା ଦେଖି ଆଉ ଗୋଟିଏ ବାଜପକ୍ଷୀ କହିଲା- ମୁଁ ବି ତା’ ଭଳି କରିବି। ଏହା କହି ସେ ସେହି ଶକ୍ତିଶାଳୀ ବାଜପକ୍ଷୀକୁ ଅନୁକରଣ କରିବାକୁ ଲାଗିଲା। ଦିନେ ସେ ବି ଉଚ୍ଚ ଆକାଶରୁ ନଦୀ ଭିତରକୁ ଝାଂପ ମାରି ପହଁରୁଥିବା ମାଛ ପିଠିରେ ନଖ ଗଳାଇ ଦେଲା ସତ କିନ୍ତୁ ଟେକି ନେଇ ଉଡ଼ିପାରିଲା ନାହିଁ। କାରଣ ତା’ର ସେଇ ଶକ୍ତିଶାଳୀ ବାଜପକ୍ଷୀ ଭଳି ବଳ ବା କୌଶଳ ନ ଥିଲା। ତେଣୁ ସେ ପାଣିରେ ବୁଡ଼ି ମଲା। 
 କଥାଟି କହି ସାରି ଶିକ୍ଷକ କହିଲେ- ଆମ ପ୍ରତ୍ୟେକଙ୍କ ଜୀବନ ହେଉଛି ଭଗବାନଙ୍କ ଦ୍ବାରା କରାଯାଉଥିବା ଗୋଟିଏ ପରୀକ୍ଷା। କିନ୍ତୁ ଏ ପରୀକ୍ଷାରେ କପି ଚଳେ ନାହିଁ। କାରଣ ଭଗବାନ ପ୍ରତ୍ୟେକଙ୍କ ଲାଗି ଅଲଗା ଅଲଗା ପ୍ରଶ୍ନପତ୍ର ରଖିଥାନ୍ତି। ତେଣୁ ତୁମେ ତୁମ ନିଜ ବାଟରେ ଚାଲି ବଡ଼ ହେବାକୁ ଚେଷ୍ଟା କର, କାହାକୁ ଅନୁକରଣ କରନାହିଁ।