ଜଣେ ଛାତ୍ର ପରୀକ୍ଷା ଲାଗି କଠୋର ପରିଶ୍ରମ କରୁଥିଲା। ତା’ ସହିତ ସେ ପରୀକ୍ଷାରେ ପ୍ରଥମ ହେବା ଲାଗି ଭଗବାନଙ୍କୁ ପ୍ରାର୍ଥନା ମଧୢ କରୁଥିଲା। ଥରେ ସେ ରାତିରେ ଶୋଇବା ବେଳେ ଭଗବାନଙ୍କୁ ପ୍ରାର୍ଥନା କରି କହିଲା- ପ୍ରଭୁ, ଆଉ ମାତ୍ର ଦୁଇ ଦିନ ପରେ ମୋର ପରୀକ୍ଷା। ଯଦି ଆପଣଙ୍କ ଆଶୀର୍ବାଦରୁ ମୁଁ ପରୀକ୍ଷାରେ ପ୍ରଥମ ହୁଏ, ତେବେ ମୁଁ ଜାଣିବି ଯେ ମୋ ପ୍ରାପ୍ୟ ମୋତେ ମିଳିଲା। ଆଉ ମୋ ମନରେ ଆଉ କୌଣସି ଦୁଃଖ ରହିବ ନାହିଁ। 
ରାତିରେ ସେ ଭଗବାନଙ୍କୁ ସ୍ବପ୍ନରେ ଦେଖିଲା। ସ୍ବପ୍ନରେ ଭଗବାନ ତାକୁ କହିଲେ- ପୁଅ ବ୍ୟସ୍ତ ହୁଅନାହିଁ। ତୁ ତୋ ପ୍ରାପ୍ୟ ପାଇବୁ। 
ସକାଳୁ ନିଦରୁ ଉଠି ପିଲାଟି ତା’ ବାପାଙ୍କୁ ସବୁ କଥା କହିଲା। ବାପା ବି ଆଶୀର୍ବାଦ ଦେଇ କହିଲେ- ପରୀକ୍ଷାରେ ତୋର ଭଲ ହେବ। ତୁ ଯାହା ଚାହୁଁଛୁ ତାହା ପାଇବୁ। 
ଦୁଇ ଦିନ ପରେ ପିଲାଟି ଦୁଇ ଗୁଣ ଆତ୍ମବିଶ୍ବାସ ସହିତ ପରୀକ୍ଷା ଦେବାକୁ ଗଲା ଏବ˚ ଫଳ ବାହାରିବା ପରେ ଦେଖାଗଲା ଯେ ସେ ପରୀକ୍ଷାରେ ପ୍ରଥମ ହୋଇଛି। କିନ୍ତୁ ବାପା ଦେଖିଲେ ଯେ ସେ ମୁହଁ ଶୁଖାଇ ବସିଛି। 
ବାପା ପଚାରିଲେ- କିରେ କ’ଣ ହେଲା? ପରୀକ୍ଷାରେ ତ ପ୍ରଥମ ହେଲୁ ଏବେ ପୁଣି ମୁହଁ କାହିଁକି ଶୁଖାଇଛୁ?
ପିଲାଟି କହିଲା- ମୋର ଜଣେ ସହପାଠୀ ଯେ କି କେବେ ହେଲେ ପାଠ ପଢ଼େ ନାହିଁ, କେମିତି କେଜାଣି ପରୀକ୍ଷାରେ ମୋ ସହିତ ପ୍ରଥମ ହୋଇଛି। ତା’ ମାନେ ମୋର ଅକ୍ଳାନ୍ତ ପରିଶ୍ରମର କିଛି ମୂଲ୍ୟ ରହିଲା ନାହିଁ!
ବାପା ପୁଅକୁ ପାଖକୁ ଟାଣି ନେଇ କହିଲେ- ୟେ କି ବିଚିତ୍ର ବିଚାର? ତୋ ପରିଶ୍ରମର ଫଳ ତ ତୁ ପାଇଛୁ, ପୁଣି ମୂଲ୍ୟ ନାହିଁ ବୋଲି କାହିଁକି କହୁଛୁ? ତୋର ସହପାଠୀର ସଫଳତା ତୋତେ କାହିଁକି ଦୁଃଖିତ କରୁଛି? ଭଗବାନ ଯାଚିତ ବା ଅଯାଚିତ ଭାବେ ଆଶୀର୍ବାଦ ଅଜାଡ଼ି ଦିଅନ୍ତି। ତେଣୁ ତୁମେ ଯଦି ତୁମ ପ୍ରାପ୍ୟଟି ପାଇଛ, ତେବେ ସନ୍ତୁଷ୍ଟ ହୋଇଯାଅ। ଆଉ ଜଣେ କେମିତି ତୁମ ଭାଷାରେ ହୁଏତ ଅପ୍ରାପ୍ୟ ପାଇଗଲା, ସେଥିରେ ମୁଣ୍ଡ ଖେଳାଅ ନାହିଁ।