ପୁରୁଣା ‘ରିଡର୍ସ ଡାଇଜେଷ୍ଟ’ରେ ପଢ଼ିବାକୁ ମିଳିଲା ଏହି ସତସତିକା ଘଟଣାର ବିବରଣୀ। 
ଜନ୍‌ ଓ ରବିନ୍‌ ନାମକ ସ୍କଟ୍‌ଲାଣ୍ତର ଦୁଇ ଜଣ ଛାତ୍ର ଏକ ଘଞ୍ଚ ଜଙ୍ଗଲ ଘେରା ପାହାଡ଼ିଆ ଅଞ୍ଚଳକୁ ବୁଲିବାକୁ ଯାଇଥିବା ବେଳେ ବାଟବଣା ହୋଇଗଲେ। ଯେତେବେଳେ ସେମାନେ ଜାଣିଲେ ଯେ ବାଟବଣା ହୋଇଯାଇଛନ୍ତି, ବହୁତ ଡେରି ହୋଇଯାଇଥିଲା। ସେମାନଙ୍କ ପାଖରେ ଥିବା ଅଳ୍ପ ଖାଦ୍ୟ ଓ ପାଣି ବି ସରିଯାଇଥିଲା। ସ୍କଟ୍‌ଲାଣ୍ତର ‘ହାଇଲାଣ୍ତ’ ଜଙ୍ଗଲ ଭିତରେ ଯେ ହଜିଛି ସେ ଯେ ଜୀବନମରଣ ସମସ୍ୟା ଭିତରେ ଫସିଛି, ଏ କଥା ସେମାନେ ଜାଣିଥିଲେ। ତେଣୁ ସେମାନେ ହତାଶ ହୋଇଗଲେ। 
ଜଙ୍ଗଲ ଭିତରେ ତିନି ଦିନ ତିନି ରାତି ବିତିଗଲା। ଜନ୍‌ ଓ ରବିନ୍‌ ସ˚ପୂର୍ଣ୍ଣ ହତୋତ୍ସାହିତ ହୋଇଗଲେ। ତେବେ, ଦୁହେଁ ଈଶ୍ବର ବିଶ୍ବାସୀ ଥିବାରୁ ଅବିରତ ଭାବେ ଭଗବାନଙ୍କୁ ଡାକି ଚାଲିଥିଲେ। ସେମାନେ ଭାବୁଥିଲେ- ଈଶ୍ବର କିଛି ନା କିଛି ବାଟ ଦେଖାଇବେ। ଏଇ ସମୟରେ ଘଟିଲା ଆଉ ଏକ ଅଘଟଣ। ରବିନ୍‌ ଏକ ଉଚ୍ଚ ଜାଗାରୁ ଖସି ପଡ଼ିବାରୁ ତା’ର ଗୋଡ଼ ଭାଙ୍ଗିଗଲା ଓ ସେ ଅଚଳ ହୋଇଗଲା। ଏବେ ରବିନ କହିଲା- ଆମର ମୃତ୍ୟୁ ସୁନିଶ୍ଚିତ। ଆଉ ଚେଷ୍ଟା କରି ଲାଭ ନାହିଁ। 
କିନ୍ତୁ ଜନ୍‌ କହିଲା- ସେମିତି କୁହନାହିଁ। ଈଶ୍ବରଙ୍କ ଉପରେ ଭରସା ରଖ ଓ ଏଠାରେ ଅପେକ୍ଷା କର। ମୁଁ ଆଗକୁ ଯାଉଛି। 
ଏହା ପରେ ଆଖି ପିଛୁଳାକେ ଜନ୍‌ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲା। ଦେଢ଼ ଦିନ ପରେ କିଛି ଲୋକଙ୍କ ସହିତ ସତକୁ ସତ ଜନ୍‌ ଫେରିଲା ଓ ମୃତପ୍ରାୟ ରବିନ୍‌କୁ ରକ୍ଷା କଲା। 
ଭଲ ହେବା ପରେ ରବିନ୍‌ ପଚାରିଲା- ଜନ୍‌, ତୁମର ଈଶ୍ବର ବିଶ୍ବାସକୁ ମାନିବାକୁ ହେବ। ତୁମେ ଶେଷ ପର୍ଯ୍ୟନ୍ତ ଈଶ୍ବରଙ୍କ ଉପରେ ବିଶ୍ବାସ ରଖିପାରିଲ କେମିତି? ଜନ୍‌ କହିଲା- ବନ୍ଧୁ, ଈଶ୍ବର ବିଶ୍ବାସ ବଳବତ୍ତର ରହିବାର ବଡ଼ କାରଣ ହେଲା ମୋ ନିଜ ଉପରେ ମୋର ଥିଲା ଅତୁଟ ବିଶ୍ବାସ। ଆତ୍ମବିଶ୍ବାସ ଥିବା ପର୍ଯ୍ୟନ୍ତ କୌଣସି ବିଷୟ ଅସାଧ୍ୟ ଲାଗି ନ ଥାଏ।