ଜଣେ ବଣିକ ଦୂର ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ। ତାଙ୍କ ସାଙ୍ଗରେ ଦଳେ ବିଶ୍ବସ୍ତ ଲୋକ ବି ଯାଉଥିଲେ। ଥରେ ସେଇ ବିଶ୍ବସ୍ତ ଲୋକମାନଙ୍କ ଭିତରୁ କିଛି ମନ୍ତ୍ରଣା କଲେ ଯେ ବାଟରେ ବଣିକ ଶୋଇଥିବା ବେଳେ ତାଙ୍କ ପାଖରୁ ସବୁ ଟଙ୍କା ପଇସା ନେଇ ପଳାଇଯିବେ। ସେମାନେ ସୁଯୋଗକୁ ଅପେକ୍ଷା କରି ରହିଲେ। 
ସୁଯୋଗ ଆସିଗଲା। ବଣିକ ବେପାର କାମରେ ବାହାରିଲେ। ସେଇ ପରିଚାରକ ଦଳ ବି ତାଙ୍କ ସହିତ ଗଲେ। ଦିନ ଦ୍ବିପହରେ ବହୁତ ଖରା ହେବାରୁ ସେମାନେ ଗୋଟିଏ ସ୍ଥାନରେ ଆଶ୍ରୟ ନେଲେ। ବଣିକ ଗୋଟିଏ ଗଛର ଛାଇରେ ଶୋଇପଡ଼ିଲେ। ଏଇ ସମୟରେ ଜଣେ ଚିତ୍କାର କଲା ସାପ ସାପ। ବଣିକଙ୍କ ନିଦ ଭାଙ୍ଗିଗଲା। ସେ ଦେଖିଲେ ଯେ ଅଦୂରରେ ନାଗ ସାପଟିଏ। ତାକୁ ଆଘାତ ନ କରିବାକୁ ସେ ଲୋକମାନଙ୍କୁ କହିଲେ ଏବ˚ ଦେଖାଗଲା ଯେ କିଛି ସମୟ ପରେ ସାପଟି ତା’ ବାଟରେ ଚାଲିଗଲା। ବଣିକଙ୍କୁ ତାଙ୍କ ପରିଚାରକମାନେ କହିଲେ- ସାପକୁ ଭୟ କରୁନାହାନ୍ତି କେମିତି? 
ବଣିକ କିଛି କହିଲେ ନାହିଁ। 
ବଣିକଙ୍କ ଯାତ୍ରା ପୁଣି ଆରମ୍ଭ ହେଲା। ରାତିରେ ସେ ଧର୍ମଶାଳାରେ ଶୋଇଲେ। ନିଶାର୍ଧରେ ସେଇ ମନ୍ତ୍ରଣାକାରୀ ପରିଚାରକମାନେ ବଣିକଙ୍କୁ ଲୁଟି ବାହାରି ଯାଉଥିବା ବେଳେ ବଣିକଙ୍କ ଚିତ୍କାର ହେତୁ ସବୁ ଛାଡ଼ି ଦେଇ ପଳାଇ ଗଲେ। 
ସେତେବେଳକୁ ବଣିକଙ୍କ ଆଉ କିଛି ପାଖ ଲୋକ ଉଠି ସାରିଥିଲେ। ବଣିକ ସେମାନଙ୍କୁ କହିଲେ- ସାପକୁ କାହିଁକି ଭୟ କରେ ନାହିଁ ବୋଲି ତୁମେମାନେ ପଚାରି ଥିଲ! ଏବେ ଶୁଣ। ସାପ ବିଷଧର ବୋଲି ସମସ୍ତେ ଜାଣନ୍ତି। ତେଣୁ ତା’ ଠାରୁ ରକ୍ଷା ପାଇବା ସହଜ। ତେଣୁ ତାକୁ ଭୟ ନାହିଁ। କିନ୍ତୁ ମଣିଷ ନିଜ ଭିତରେ ବିଷ ରଖି ଉପରକୁ ମିଠା କରି ରଖୁଥିବାରୁ ତାକୁ ଭୟ କରିବା କଥା। ଏବେ ତା’ର ପ୍ରମାଣ ବି ମିଳିଗଲା!