ଥରେ ୟୁଜିକେ ତାଙ୍କ ଅନୁଗାମୀମାନଙ୍କୁ ଏହି ମଜା ଗପଟି କହିଥିଲେ। 
ଥରେ ଜଣେ ଶିକ୍ଷକ ଶ୍ରେଣୀର ପିଳାମାନଙ୍କୁ କହିଲେ ଯେ ସେମାନେ ପର ଦିନ ଠାରୁ କିଛି ନା କିଛି ଭଲ କାମ କରିବାର ଚେଷ୍ଟା କରନ୍ତୁ। 
ପର ଦିନ ସକାଳେ ଶିକ୍ଷକ ପିଲାମାନଙ୍କୁ ପଚାରିଲେ- କିଏ କୌଣସି ଭଲ କାମ କରିଛ କି?
ତିନି ଜଣ ପିଲା ଛିଡ଼ା ହେଲେ। ଶିକ୍ଷକ ପ୍ରଥମ ପିଲାକୁ ପଚାରିଲେ- କି ଭଲ କାମ କରିଛୁ କହ। ପିଲାଟି ଉତ୍ତର ଦେଲା ଯେ ସେ ଜଣେ ବୃଦ୍ଧା ମହିଳାଙ୍କୁ ସଡ଼କ ପାର କରାଇଛି। ଶିକ୍ଷକ ଏବେ ଦ୍ବିତୀୟ ପିଲାକୁ ସେ କି ଭଲ କାମ କରିଛି ବୋଲି ପଚାରିଲେ। ଦ୍ବିତୀୟ ପିଲା ମଧ୍ୟ ଜଣେ ବୃଦ୍ଧା ମହିଳାଙ୍କ ହାତ ଧରି ସଡ଼କ ପାର କରାଇଛି ବୋଲି କହିଲା। ଶିକ୍ଷକ ଏବେ ତୃତୀୟ ପିଲାକୁ ତା’ର ଭଲ କାମ ବିଷୟରେ ପଚାରନ୍ତେ ସେ ମଧ୍ୟ ସେହି ସମାନ କଥା କହିଲା, ଅର୍ଥାତ୍‌ ସେ ମଧ୍ୟ ଜଣେ ବୃଦ୍ଧ ମହିଳାଙ୍କୁ ସଡ଼କ ପାର କରାଇଥିଲା। 
ସଡ଼କ ପାର ହୋଇ ପାରୁ ନ ଥିବା ଏତେ ସଂଖ୍ୟକ ବୃଦ୍ଧା ଏହି ପିଲାମାନଙ୍କୁ ମିଳିଗଲେ କେମିତି ବୋଲି ଭାବି ଶିକ୍ଷକ ତାଜୁବ ହେଲେ। ତେବେ କ୍ରମେ ରହସ୍ୟ ଖୋଲିଲା ଯେ ତିନିହେଁ ସେହି ସମାନ ମହିଳାଙ୍କୁ ଥର ଥର କରି ତିନି ଥର ସଡ଼କ ପାର କରାଇଥିଲେ, ଯିଏ ସଡ଼କ ଧାରରେ କେବଳ ଛିଡ଼ା ହୋଇଥିଲେ ଏବଂ ତାକୁ ପାର କରିବା ଲାଗି ତାଙ୍କର କୌଣସି ଆଗ୍ରହ ବା ଉଦ୍ଦେଶ୍ୟ ନ ଥିଲା। 
ଏ କଥା କହି ସାରି ୟୁଜିକେ କହିଲେ- ଆମମାନଙ୍କ ଭିତରୁ ଅନେକ ଏହି ଭଳି ସେବା କରିଥାଉଁ। ଆମ ସେବା କାହାର କି ଉପକାର କରୁଛି ତାହା ନ ଭାବି ବା ଆମ ସେବା ଦ୍ବାରା କିଏ ଅତିଷ୍ଠ ହୋଇ ସାରିଲାଣି, ‌େସ ଅ‌ାଡ଼କ ଦୃଷ୍ଟି ନ ଦେଇ ଆମେମାନେ ଭଲ କାମ କରୁଛୁ ବୋଲି ଭାବି ନେଉ।

Advertisment