ଏକ ଆଦିବାସୀ ଲୋକ ଗଳ୍ପ।
ଜଣେ ଲୋକ ଜଙ୍ଗଲ ଭିତର ଦେଇ ଯାଉଥିବା ବେଳେ ବାଘ ହାବୁଡ଼ରେ ପଡ଼ିଲା। ବାଘ ତାକୁ ମାଡ଼ି ବସିଲା ବେଳେ ଲୋକଟି ନେହୁରା ହୋଇ କହିଲା- ମୋତେ ଛାଡ଼ି ଦିଅ। ମୁଁ ବହୁତ ଅସୁବିଧାରେ ଅଛି। ମୋ ଝିଅର ବାହାଘର ହେବାକୁ ଅଛି। ତୁମେ ଯଦି ମୋତେ ଖାଇ ଦେବ, ତେବେ ମୋର ସ˚ସାର ଭାସିଯିବ। ମୁଁ ତୁମକୁ କଥା ଦେଉଛି ମୋ ଜଞ୍ଜାଳ ତୁଟେଇ ତୁମ ପାଖକୁ ଆସିବି। ମୋତେ କେବଳ ଦୁଇ ସପ୍ତାହ ସମୟ ଦିଅ। 
 ଏ କଥା ଶୁଣି ବାଘ ତାକୁ କହିଲା- ଠିକ୍‌ ଅଛି। ମୁଁ ତୁମକୁ ଛାଡ଼ିଦେଲି। କିନ୍ତୁ ଦୁଇ ସପ୍ତାହ ପରେ ନିଶ୍ଚୟ ଆସିବ। 
ଦୁଇ ସପ୍ତାହ ପରେ ବାଘ ଦେଖିଲା ଲୋକଟି ଆସୁଛି। କିନ୍ତୁ ତା’ ମନ ଭିତରେ ହଠାତ୍‌ ଛନକା ପଶିଲା। ସେ ଭାବିଲା, ଲୋକଟି କିଛି ଚାଲବାଜି କରୁନାହିଁ ତ? ଏହା କହି ସେ ହଠାତ୍‌ ବାହାରକୁ ନ ବାହାରି ଗୋଟିଏ ବୁଦା ପଛରେ ଲୁଚି ଗଲା। 
ଲୋକଟି ସେଠାରେ ପହଞ୍ଚି ବାଘକୁ ଡାକିଲା ଏବ˚ କହିଲା- ମୁଁ ମୋର ବାକ୍ୟ ରକ୍ଷା କରି ଆସିଗଲିଣି। ବାଘ ଭାଇ, ଏବେ ଆସ। 
ହଠାତ୍‌ ବୁଦା ପଛରୁ ବାଘର ଗର୍ଜନ ଶୁଭିଲା। ଲୋକଟି ତତ୍‌କ୍ଷଣାତ୍‌ ବୁଦା ଆଡ଼କୁ ଇସାରା କଲା ଏବ˚ ଗୋଟିଏ ଗଛ ପଛରୁ ଆଖି ପିଛୁଳାକେ ଦୁଇ ତିନିଟି ତୀର ସାଇଁ ସାଇଁ କରି ବୁଦା ଭିତରକୁ ପଶିଗଲା। 
ଲୋକଟି ତା’ ପରେ କିଛି କହିବା ପୂର୍ବରୁ ବାଘର ଗର୍ଜନ ଆଉ ଥରେ ଶୁଭିଲା। ବାଘ କହିଲା- ବିଶ୍ବାସଘାତକ, ତୋତେ ଛାଡ଼ିଦେଇଥିଲି ତୋ’ ସତ୍ୟ ବଚନ ଉପରେ ବିଶ୍ବାସ କରି। କିନ୍ତୁ ତୁ ମୋ ସହିତ ପ୍ରତାରଣା କଲୁ! ଏଣିକି ତୁମ ଜାତି ଉପରେ ଆଉ ବିଶ୍ବାସ ନାହିଁ। 
ଏଣେ ଲୋକଟି ଚିତ୍କାର କରି କହିଲା- ବାଘକୁ ମାର। ତାକୁ ଛାଡ଼ ନାହିଁ। 
ଦେଖାଗଲା ତିନି ଚାରି ଜଣ ଶିକାରୀ ହାତରେ ଧନୁତୀର ଧରି ଖେପି ଗଲେ। କିନ୍ତୁ ବାଘ ପଳାଇଗଲା। ସେମାନେ ଗାଁକୁ ଫେରୁଥିବା ବେଳେ ଦୂର ପାହାଡ଼ ମୁଣ୍ତିଆ ଉପରୁ ବାଘର ଗର୍ଜନ ଶୁଣିଲେ। ବାଘ କହିଲା- ଯେଉଁ ସମୟରେ ତୁ ମୋ ପାଖକୁ ଫେରିଲୁ ସେଇ ସମୟରେ ପୃଥିବୀରେ କଳି ଯୁଗ ପଶିଲା। ତେଣୁ ତୁ ମୋ ସହିତ ପ୍ରତାରଣା କଲୁ। କିନ୍ତୁ ଠିକ୍‌ ସେଇ ସମୟରେ ମୋ ଭିତରେ ବି ଛନକା ପଶିଲା। ତା’ ହୋଇ ନ ଥିଲେ ମୁଁ ବଞ୍ଚି ନ ଥାଆନ୍ତି। ତେଣୁ ଆଜିଠୁ ଆମ ଭିତରେ ଛକାପଂଝା ଲାଗି ରହିବ।