ଥରେ ଜଣେ ଯୁବକ ସିଦ୍ଧ ପୁରୁଷଙ୍କୁ ଭେଟିଲା। ସିଦ୍ଧ ପୁରୁଷଙ୍କ ବୈଶିଷ୍ଟ୍ୟ ହେଲା, ସେ ଯାହା କହନ୍ତି ତାହା ଫଳେ। ଯୁବକ କହିଲା- ମହାତ୍ମା, ମୋତେ ଏଇ ବର ଦିଅନ୍ତୁ ଯେମିତି ମୁଁ ଧନୀ ହୋଇଯାଏ। 
ସିଦ୍ଧ ପୁରୁଷ କହିଲେ ତଥାସ୍ତୁ। ତାଙ୍କ କଥା ସରିଛି କି ନାହିଁ ଯୁବକ ହୋଇଗଲା ଜଣେ ବିରାଟ ଧନୀ। ଧନ ପାଇବା ପରେ ତା’ ମନରେ ତତ୍‌କ୍ଷଣାତ୍‌ ଭରିଗଲା ଏକ ତୀବ୍ର ଅସୁରକ୍ଷା ଭାବ। ସେ ଏକ ଦରିଦ୍ର ପରିବାରରୁ ଆସିଥିବାରୁ ତାକୁ ଲାଗିଲା ଯେ ତା’ର ସଂପତ୍ତି ହଡ଼ପ କରିବା ଲାଗି ଲେ‌ାକେ ମନ୍ତ୍ରଣା କରିବେ ଓ ସେ ତା’ର ଶିକାର ହୋଇଯାଇପାରେ! ତେଣୁ ସେ ସିଦ୍ଧପୁରୁଷଙ୍କୁ କହିଲା- ଆଜ୍ଞା, ଏତିକିରେ ଚଳିବ ନାହିଁ। ମୋତେ ବର ଦିଅନ୍ତୁ ଯେମିତି କି ମୁଁ ଜୀବନର ଶେଷ କ୍ଷଣ ପର୍ଯ୍ୟନ୍ତ ଧନୀ ହୋଇ ରହେ। 
ଏଥର ସିଦ୍ଧ ପୁରୁଷ ହସିଲେ। ଯୁବକ ଜଣକ ପଚାରିଲା- ଆପଣ ହସୁଛନ୍ତି କାହିଁକି? ମୋତେ ବର ଦିଅନ୍ତୁ। ତା’ ବଦଳରେ ଆପଣ କ’ଣ ଚାହୁଁଛନ୍ତି କହନ୍ତୁ। ମୁଁ ଏ‌େବ ଅତ୍ୟନ୍ତ ଧନୀ। ଆପଣ ଯାହା ଚାହିଁବେ ଦେଇ ପାରିବି।
ସାଧୁ ଗମ୍ଭୀର ହୋଇ କହିଲେ- ଶୁଣ ବାବୁ, ଧନ ପାଉ ପାଉ ତୁମକୁ ଅହଙ୍କାର ଗ୍ରାସି ସାରିଲାଣି। ଏବେ ଶୁଣ ମୋ ହସିବାର କାରଣ। ତୁମେ ଜୀବନର ଶେଷ ପର୍ଯ୍ୟନ୍ତ ଧନୀ ରହିବ ବୋଲି ଦ୍ବିତୀୟ ବରଟି ମାଗୁଥିବ‌ା ବେଳେ ତୁମ ପଛରେ ଛିଡ଼ା ହୋଇଥିବା ମୃତ୍ୟୁ ଦୂତଙ୍କୁ ଦେଖିଲି। ଭାବିଲି ତୁମ ଦ୍ବିତୀୟ ବରକୁ ପୂରଣ କରିବା ଲାଗି ତଥାସ୍ତୁ କହିବାର ଆବଶ୍ୟକତା ନାହିଁ। କାରଣ ତୁମେ ଯାହା ଚାହିଁଛ ତାହା ଏବେ ପୂର୍ଣ୍ଣ ହେବ।
କଥା ସରିଛି କି ନାହିଁ ଯୁବକର ସେହିଠାରେ ପରଲୋକ ହୋଇଗଲା। ମୃତ୍ୟୁ ଦୂତ ତା’ର ଆତ୍ମାକୁ ଘେନି ଗଲା ବେଳେ ଜଣେ ଧନିକର ଶରୀର ପଡ଼ି ରହିଥିଲା।