ଏହା ହେଉଛି ଲାଟିନ ଆମେରିକାର ଏକ ଲୋକ ଗଳ୍ପ। 
ଜଣେ ଚାଷୀ ଖଚରଟିଏ ପାଳିଥାଏ ଏବଂ ତାକୁ ନିର୍ଧୁମ ଖଟାଉଥାଏ। ତେବେ, ଟିକିଏ ଧର୍ମ ପରାୟଣ ହୋଇଥିବାରୁ ରବିବାର ଦିନଟି ଖଚରକୁ ବିଶ୍ରାମ ଦେଉଥାଏ ଏବଂ ସକାଳ ବେଳା ଥରଟିଏ ଅଧିକ ଖାଇବା ଦେଉଥାଏ। 
ଥରେ ରବିବାର ଦିନ ହିଁ ଏକ ଜରୁରୀ କାମରେ ଚାଷୀକୁ ଦୂର ଜାଗାକୁ ବାହାରିବାର ହେଲା। ଖଚର ପିଠିରେ ଗଦି ବିଛାଇବା ଲାଗି ସେ ପୁଅକୁ ପଠାଇଲା। ପୁଅ ଖଚର ପିଠିରେ ଗଦି ଲଦିଛି କି ନାହିଁ, ଶୁଣିଲା ଖଚର ନମ୍ର ଭାବେ କହୁଛି-ମାଲିକେ, ଅାଜି ପରା ରବିବାର! 
ଏହା ଶୁଣି ପୁଅ ଭୂତ ଦେଖିଲା ଭଳି ହାଉଳି ଖାଇ ଦୌଡ଼ିଲା ଏବଂ ବାପଙ୍କୁ କହିଲା- ବାପା, ବାପା, ସେ କଥା କହୁଛି। 
ଏହା ଶୁଣି ବିରକ୍ତ ହୋଇ ବାପା ତା’ ହାତରୁ ଗଦିଟି ଛଡ଼ାଇ ନେଇ ‘ନାଲାୟକ’ ବୋଲି ଗାଳି ଦେଇ ନିଜେ ଅସ୍ତାବଲକୁ ଗଲା। ଖଚରଟି ଚାଷୀକୁ କହିଲା- ମାଲିକେ ନମସ୍କାର। କ’ଣ କହୁଥିଲି କି ଆଜି ପରା ରବିବାର!
ଏଥର ହାଉଳି ଖାଇ ଦୌଡ଼ିବାର ପାଳି ବାପାର। ଏମିତି ଅବସ୍ଥା ଦେଖି ଚାଷୀର ସ୍ତ୍ରୀ ପଚାରିଲା- କଥା କ’ଣ? ଏମିତି ଭୂତ ଦେଖିଲା ଭଳି କାହିଁକି ହଉଚ?
ଚାଷୀ ଖନି ମାରି କହିଲା- ହେ ପ୍ରଭୁ, ଆମ ଗଧ କଥା କହୁଛି!
ତା’ ସ୍ତ୍ରୀ ଏବେ ରାଗି ଯାଇ କହିଲା- ଗଧ କଥା କହୁଛି? ପାଗଳ କାହାଁ କା?
ଏତିକି ବେଳେ ସେ ଶୁଣିଲା ଯେ ଚଉକି ତଳେ ଶୋଇଥିବା ବିରାଡ଼ିଟି ପାହାଚ ଉପରେ ବସିଥିବା କୁକୁରକୁ ଅବିକଳ ମଣିଷ ଭଳି କହୁଛି, ‘ହେଇ ଶୁଣ! ଆମେମାନେ କଥା କହୁ ବୋଲି ଏମାନେ ଏବେ ଜାଣିଲେ!’