ମୁଲ୍ଲା ନସିରୁଦ୍ଦିନ ତରୁଣ ଥିଲା ବେଳେ ଲେଖାଲେଖି ଆରମ୍ଭ କଲେ। ସେ କେବଳ ଗପ, କବିତା ବା ଉପନ୍ୟାସ ଲେଖିଲେ ନାହିଁ, ସେ ସବୁକୁ ଅନ୍ୟମାନଙ୍କୁ ପଢ଼ି ଶୁଣାଇବାରେ ଲାଗିଲେ। ସେଥି ଲାଗି ତାଙ୍କର ସ୍ଥାନ, କାଳ, ପାତ୍ରର ବିବେଚନା ରହିଲା ନାହିଁ। ଯାହାକୁ ଯେଉଁଠି ଦେଖିଲେ ତାକୁ ଧରି ପକାଇ ନିଜ ଲେଖା ଶୁଣାଇଲେ। ଲୋକେ ମୁଲ୍ଲାଙ୍କୁ ଦେଖି ଲୁଚିଲେ। କିନ୍ତୁ ମୁଲ୍ଲା ତାଙ୍କ କାମରେ ଲାଗି ରହିଲେ। ଅଚିରେ ସେ ନିଜ ଅଞ୍ଚଳର ଜଣେ ଜବରଦସ୍ତ ଲେଖକ ଭାବେ ପରିଚିତ ହେଲେ। ତେଣୁ, ଦିନେ ଜଣେ ସାମ୍ବାଦିକ ମୁଲ୍ଲା ନସିରୁଦ୍ଦିନଙ୍କ ସାକ୍ଷାତ୍‌କାର ନେବାକୁ ଚାହିଁଲେ। 
ସେ ମୁଲ୍ଲାଙ୍କ ପାଖରେ ପହଞ୍ଚିବା ବେଳକୁ ମୁଲ୍ଲା ନିବିଷ୍ଟ ଚିତ୍ତରେ ପତ୍ରିକାଟିଏ ପଢୁଥିଲେ। ସାମ୍ବାଦିକ ପଚାରିଲେ- ମୁଲ୍ଲା କ’ଣ ପଢୁଛନ୍ତି? 
ମୁଲ୍ଲା କହିଲେ- ମୋ ଗପ ବାହାରିଛି ତ ତାକୁ ପଢୁଛି। 
ସାମ୍ବାଦିକ ପ୍ରଶ୍ନ କଲେ- ଆପଣ ଏ ବର୍ଷ ପଢ଼ିଥିବା ଶ୍ରେଷ୍ଠ ତିନିଟି ଗପ କ’ଣ କ’ଣ କହନ୍ତୁ ତ?
ମୁଲ୍ଲା ସାଙ୍ଗେସାଙ୍ଗେ ତିନିଟି ଗପର ନାମ କହିଲେ। ସାମ୍ବାଦିକ ପଚାରିଲେ- ଏହାର ଲେଖକମାନେ ସବୁ କିଏ କିଏ? ମୁଲ୍ଲା କହିଲେ- ଜଣେ ମାତ୍ର ଲେଖକଙ୍କ ଦ୍ବାରା ଏ ସବୁ ଲିଖିତ। ସେ ହେଉଛି ମୁଁ। 
ସାମ୍ବାଦିକ ଅପ୍ରତିଭ ଦିଶିଲେ। ତଥାପି ସେ ପଚାରିଲେ- ତାହା ତ ଠିକ୍‌ କଥା। କିନ୍ତୁ ଆପଣଙ୍କର ବେଳେ ବେଳେ ନୂଆ ଗଳ୍ପ କି ଉପନ୍ୟାସ ପଢ଼ିବାକୁ ଇଚ୍ଛା ହେଉଥିବ? ସେତେବେଳେ ଆପଣ କ’ଣ କରନ୍ତି?
ମୁଲ୍ଲା ଆତ୍ମପ୍ରସାଦରେ ଆଖି ବୁଜି ହସିଲେ ଓ କହିଲେ- ହଁ ହଁ ସେମିତି ଇଚ୍ଛା ହୁଏ। ତାହା ହେଲେ ମୋତେ ଟିକିଏ ଅଧିକ କଷ୍ଟ କରିବାକୁ ପଡ଼େ। ନୂଆ ବହି ପଢ଼ିବାକୁ ଇଚ୍ଛା ହେଲା ମାତ୍ରକେ ମୁଁ ବହିଟିଏ ଲେଖିପକାଏ।