ପୁରାତନ କାଳର କଥା। ଶାକ୍ୟ ମୁନି ଗୌତମ ବୁଦ୍ଧ ଗୋଟିଏ ବାଟିକାରେ ସମବେତ ଶିଷ୍ୟଙ୍କୁ ଉପଦେଶ ପ୍ରଦାନ କରୁଥିଲେ। ତାହା ଥିଲା ସଂଧ୍ୟା ସମୟ। ସେହି ବାଟରେ ଯାଉଥିବା ଜଣେ ଚୋର ଏବଂ ଜଣେ ଗଣିକା ସେଠାରେ ଭିଡ଼ ଥିବା ଦେଖି ସେଠାକୁ ଯାଇ ବୁଦ୍ଧଙ୍କୁ ଶୁଣିଲେ। ବୁଦ୍ଧ ଧ୍ୟାନ ଉପରେ ଭାଷଣ ଦେଉଥିଲେ ଏବଂ ଶିଷ୍ୟମାନଙ୍କୁ ସର୍ବଦା ଉପଦେଶ ଦେଉଥିଲେ ଯେ ସେମାନେ ଶୟନ କରିବା ପୂର୍ବରୁ କିଛି ସମୟ ଧ୍ୟାନରେ ଅତିବାହିତ କରନ୍ତୁ। 
ଯଥା ସମୟରେ ବୁଦ୍ଧଙ୍କ ଉପଦେଶ ସମାପ୍ତ ହେଲା। ସେ ଶେଷରେ କହିଲେ- ତୁମେମାନେ ଯାଅ ଏବଂ ରାତ୍ରର ଅନ୍ତିମ କାର୍ଯ୍ୟଟି ସଂପାଦନ କର। ବୁଦ୍ଧ ସର୍ବଦା ଏହି ଭଳି କହୁଥିଲେ। ଏହାକୁ ଶୁଣି ବୁଦ୍ଧଙ୍କ ମର୍ମକୁ ବୁଝିଥିବା ଶିଷ୍ୟମାନେ ଠିକ ଧରି ନେଲେ ଯେ ଶାକ୍ୟ ମୁନି ସେମାନଙ୍କୁ ଶୟନ ପୂର୍ବରୁ ଧ୍ୟାନ କରିବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ ଚୋର ଏବଂ ଗଣିକା ତାହା ଭିନ୍ନ ଅର୍ଥରେ ବୁଝି ନିଜ ନିଜ କାର୍ଯ୍ୟ ସଂପନ୍ନ କରିବାକୁ ବାହାରିଗଲେ। ଚୋରଟି ଚୋରି କରିବାକୁ ଗଲା ଏବଂ ଗଣିକା ରଙ୍ଗଶାଳା ଅଭିମୁଖେ ଚାଲିଲା। 
ଏହି ଗଳ୍ପ କହି ସାରି ୟୁଜିକେ କହିଲେ- ବୁଦ୍ଧ ଗୋଟିଏ ବାକ୍ୟ କହିଲେ। କିନ୍ତୁ ତାହା ଭିନ୍ନ ଭିନ୍ନ ଲୋକଙ୍କ ଦ୍ବାରା ଭିନ୍ନ ଭିନ୍ନ ରୂପରେ ଅର୍ଥାନ୍ବିତ ହେଲା। ଏହାର ଅର୍ଥ ଜଣେ ନିଜର ଦୃଷ୍ଟିକୋଣରୁ ଯାହା ଦେଖିଥା‌ଏ, ସେହି ଭାବେ ତା’କୁ ଗ୍ରହଣ କରେ। ସୁତରାଂ, କୌଣସି କଥାର ଯେ କେବଳ ଗୋଟିଏ ଅର୍ଥ,  ତାହା ବିଚାର କରିବା ଭୁଲ।