ଜଣେ ସାଧୁ ଭଗବାନଙ୍କ ଦର୍ଶନ ପାଇବା ଲାଗି ତପସ୍ୟାରେ ବସିଲେ। ତାଙ୍କ ଧ୍ୟାନରେ ଯେମିତି କେହି ବାଧା ନ ଉପୁଜାନ୍ତି ସେଥି ଲାଗି ଶିଷ୍ୟକୁ ଜଗାଇଲେ। ସେ ଥିଲା ତାଙ୍କର ଏକ ମାତ୍ର ଶିଷ୍ୟ; ନିପଟ ମୂର୍ଖ କିନ୍ତୁ ଆଜ୍ଞାକାରୀ। ଗୁରୁଙ୍କ କଥା ମାନି ସେ ଆଶ୍ରମ ବାରଣ୍ତାରେ ଜଗି ବସିଲା। ହଲଚଲ ହେଲା ନାହିଁ।
ଦିନେ ଆଶ୍ରମକୁ ଆସିଲେ ଜଣେ ବୃଦ୍ଧ। ସେ ସାଧୁଙ୍କୁ ଭେଟିବାକୁ ଚାହିଁଲେ। କିନ୍ତୁ ବାଟ ଓଗାଳିଲା ଶିଷ୍ୟ। ବୃଦ୍ଧ କହିଲେ- କେବଳ କହିଦିଅ କେହି ଜଣେ ବୃଦ୍ଧ ଦେଖା କରିବାକୁ ଚାହୁଛନ୍ତି। ସେ ଉଠି ଆସିବେ। କିନ୍ତୁ ଶିଷ୍ୟ ଦୃଢ଼ ଭାବେ ମନା କଲା। ବୃଦ୍ଧ ଫେରିଗଲେ। 
କିଛି ଦିନ ପରେ ସେ ପୁଣି ଆସିଲେ। ଏଥର ବି ଶିଷ୍ୟ ମନା କଲା। ଏଥର ବି ବୃଦ୍ଧ ଫେରିଗଲେ। କିନ୍ତୁ ଯେତେବେଳେ ବୃଦ୍ଧ ତୃତୀୟ ଥର ଲାଗି ଆସିଲେ ଓ ଶିଷ୍ୟକୁ କହିଲେ- ଏଥର ଯେମିତି ହେଲେ ତୁମ ଗୁରୁଙ୍କୁ କୁହ, ନ ହେଲେ ମୁଁ ଆଉ ଆସିବି ନାହିଁ, ଶିଷ୍ୟ କହିଲା- ଗୁରୁ ପୂରା ଧୢାନରେ ବସିଛନ୍ତି। ଆପଣ ଆଉ ବାଧ୍ୟ କରନ୍ତୁ ନାହିଁ। ଫେରି ଯାଆନ୍ତୁ। ବୃଦ୍ଧ ଫେରିଗଲେ।
ସାଧୁ ଅନେକ ସମୟ ଧରି ତପସ୍ୟା କଲା ପରେ ଯେତେବେଳେ ଈଶ୍ବରଙ୍କ ସାକ୍ଷାତ ମିଳିଲା ନାହିଁ; ହତାଶା ଓ ଅଭିମାନରେ ସେ ଚିତ୍କାର କଲେ-ତୁମେ କେଉଁଠି ପ୍ରଭୁ? ସତରେ କ’ଣ ପଥର ହୋଇଗଲ?
ତତ୍‌କ୍ଷଣାତ୍‌ ସ୍ବର୍ଗରୁ ଏକ ଗମ୍ଭୀର ସ୍ବର ଶୁଣାଗଲା- ‘ତିନି ଥର ତୁମ ପାଖକୁ ଗଲି। ତୁମର ଭାଗ୍ୟରେ ମୋ ସହିତ ସାକ୍ଷାତର ଅବକାଶ ନାହିଁ। ତୁମ ଶିଷ୍ୟ ତିନି ଥର ମୋର ଦର୍ଶନ କଲା। କିନ୍ତୁ ମୋତେ ଚିହ୍ନିବାର ଅବକାଶ ତା’ ପାଖରେ ନ ଥିଲା। 
ସାଧୁ ଏହା ଶୁଣି ହତବାକ ହୋଇଗଲେ।