ମହାବୀର ଜୈନ ସନ୍ନ୍ୟାସୀ ହେବାର କାହାଣୀ ଶୁଣନ୍ତୁ।
ପିଲାଟି ଦିନରୁ ସ˚ସାର ପ୍ରତି ବୀତସ୍ପୃହ ଥିବା ମହାବୀର ଯୁବକ ଅବସ୍ଥାରେ ସନ୍ନ୍ୟାସୀ ହେବା ଲାଗି ସ୍ଥିର କରି ମାତାଙ୍କ ଅନୁମତି ମାଗିଲେ। ମାତା ଏହା ଶୁଣି ମ୍ରିୟମାଣ ହୋଇ ବିଳାପ କରି କହିଲେ- ବାବୁରେ ତୁ ଯଦି ସନ୍ନ୍ୟାସୀ ହୋଇ ଚାଲିଯିବୁ, ତେବେ ବଞ୍ଚି ଥାଉ ଥାଉ ତୋ ବାପା ଓ ମା’ ମରିଯିବେ। ଆମେ ମଲା ପରେ ତୁ ସନ୍ନ୍ୟାସୀ ହୁଅ।
ମହାବୀର ଏ କଥା ଶୁଣିଲେ ଓ କିଛି ନ କହି ଘର ଭିତରକୁ ଚାଲିଗଲେ। ତାଙ୍କ ମା’ ଭାବିଲେ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ବଦଳି ଗଲା।
ମହାବୀର କିନ୍ତୁ ଅପେକ୍ଷା କଲେ। କିଛି ବର୍ଷ ପରେ ତାଙ୍କର ବାପା ଓ ମାଆ ଉଭୟଙ୍କ ଦେହାନ୍ତ ହୋଇଗଲା। ତାଙ୍କର କ୍ରିୟାକର୍ମ ସାରି ଶ୍ମଶାନରୁ ଫେରିବା ବାଟରେ ସେ ପୁଣିଥରେ ଭାଇଙ୍କୁ ନିଜ ସନ୍ନ୍ୟାସ ନେବା କଥା କହି ଅନୁମତି ମାଗିଲେ। ଭାଇ ମଧୢ ଏହା ଶୁଣି ବିଳାପ କରି କହିଲେ- ବାପା, ମା’ ଏଇ କ୍ଷଣି ଚାଲିଗଲେ। ତା’ ପରେ ତୁ ଯଦି ଚାଲିଯିବୁ ମୁଁ ବଞ୍ଚିବି କେମିତି? ମହାବୀର ଏଥର ମଧୢ ଆଉ କିଛି ନ କହି ଘରକୁ ଫେରିଲେ।
କିନ୍ତୁ ଏହା ପରେ ମହାବୀର ଆଉ ପୂର୍ବର ମହାବୀର ହୋଇ ରହିଲେ ନାହିଁ। ସେ ଘର ଭିତରେ ଥିଲେ, କିନ୍ତୁ ନ ଥିବା ଭଳି। ସେ ପରିବାର ଭିତରେ ବିଚରଣ କରୁଥିଲେ, କିନ୍ତୁ ଲାଗୁଥିଲା ସେ ଯେମିତି ନାହାନ୍ତି। ତାଙ୍କୁ କେହି ଦିଶୁ ନ ଥିଲେ କି ସେ କାହାକୁ ଦେଖାଯାଉ ନ ଥିଲେ। ସେ ଯେମିତି ହୋଇଯାଇଥିଲେ ଏକ ଶୂନ୍ୟସ୍ଥାନ। ତାଙ୍କ ଉପସ୍ଥିତିି ଥିଲା, କିନ୍ତୁ ତା’ର କୌଣସି ଚିହ୍ନ ଦିଶୁ ନ ଥିଲା। ସମସ୍ତଙ୍କ ଭିତରେ ସେ ରହିଥିଲେ ପବନ ଭଳି।
ବଡ଼ ଭାଇ ଏବେ ବୁଝିପାରିଲେ ଯେ ମହାବୀର ଆଉ ସ˚ସାରରେ ବାନ୍ଧି ହୋଇ ରହିପାରିବେ ନାହିଁ। ସେ କହିଲେ- ମହାବୀର ଏବେ ତୁମେ ମୁକ୍ତ। ସନ୍ନ୍ୟାସ ଲାଗି ତୁମେ ଯାଇପାର।
ମହାବୀର କହିଲେ- ମୁଁ କୃତଜ୍ଞ। କିନ୍ତୁ କେବେଠାରୁ ମୁଁ ଆପଣଙ୍କ ସଂସାର ଛାଡ଼ି ଯାଇ ସାରିଲିଣି।
କଥାଟିଏ-ଯାଯାବର: ସନ୍ନ୍ୟାସ ନେବା କଥା
ମହାବୀର ଜୈନ ସନ୍ନ୍ୟାସୀ ହେବାର କାହାଣୀ ଶୁଣନ୍ତୁ। ପିଲାଟି ଦିନରୁ ସ˚ସାର ପ୍ରତି ବୀତସ୍ପୃହ ଥିବା ମହାବୀର ଯୁବକ ଅବସ୍ଥାରେ ସନ୍ନ୍ୟାସୀ ହେବା ଲାଗି ସ୍ଥିର କରି ମାତାଙ୍କ ଅନୁମତି ମାଗିଲେ।
/sambad/media/media_files/4gXaeJpVRwjMhCybVeWv.jpg)