ରାଜାଙ୍କ ପାଖରେ ଜଣେ ଅତ୍ୟନ୍ତ ବିଶ୍ବସ୍ତ ଭୃତ୍ୟ ଥିଲେ। ତେବେ, ସେ ଦେଖୁଥିଲେ ଯେ ରାଜାଙ୍କ ପାଖରେ କାମ କରୁଥିବା ଅନେକ ଲୋକ ଦୁର୍ନୀତିଗ୍ରସ୍ତ, ଅଥଚ ସେମାନଙ୍କ କିଛି ଅସୁବିଧା ହେଉନାହିଁ। ସମସ୍ତେ ଭଲ‌େର ଅଛନ୍ତି।
ଏ ଚିନ୍ତା ମୁଣ୍ତରେ ପଶିବା କ୍ଷଣି ତାଙ୍କ ମନ ଅସ୍ଥିର ହେଲା। ସେ ଭାବିଲେ- ମୁଁ ଅତି ବିଶ୍ବସ୍ତ ବୋଲି ରାଜା ମୋ କାନ୍ଧ ଉପରେ ହାତ ରଖି ଦେଉଛନ୍ତି ସତ, ମୁଁ ଆଉ କ’ଣ ପାଉଛି? ସୁଯୋଗର ଟିକିଏ ସଦୁପଯୋଗ କଲେ ମୁଁ ମଧୢ ନିଜ ପରିବାର ଲାଗି ଅଧିକ କିଛି କରିପାରନ୍ତି। 
ଏମିତି ଭାବୁ ଭାବୁ ଶୀଘ୍ର ସୁଯୋଗ ଜୁଟିଗଲା। ରାଣୀଙ୍କ ରତ୍ନ ଖଚିତ ସୁନା ହାର ପଲଙ୍କ ତଳେ ପଡ଼ିଥିବା ଦେଖି ତାଙ୍କ ମନ ଚହଲି ଗଲା। ସେ ତାକୁ ନିଜ ଅଣ୍ଟାରେ ଖୋସିଦେଲେ। କିନ୍ତୁ ଏ କଥା ଦେଖିଦେଲା ଆଉ ଜଣେ ସହକର୍ମୀ। ରାଣୀଙ୍କ ହାର ଖୋଜା ପଡ଼ିଲା। ଏ ବିଶ୍ବସ୍ତ ଭୃତ୍ୟ ଜଣକ ଥିଲେ ସମସ୍ତଙ୍କ ସନ୍ଦେହର ଉପରେ। ତେଣୁ ତାଙ୍କୁ ଛାଡ଼ି ଅନ୍ୟମାନଙ୍କ ତଲାସିର ବ୍ୟବସ୍ଥା ହେଲା। ସେତିକି ବେଳେ ଏହା ଦେଖିଥିବା ଲୋକଟି ଗୁମର ଖୋଲିଦେଲା। ଭୃତ୍ୟଙ୍କ ପାଖରୁ ହାର ମିଳିଲା। ରାଜା ବିସ୍ମୟରେ ହତବାକ୍‌ ହୋଇଗଲେ। ତେବେ ଦୟା ପରବଶ ହୋଇ କିଛି ଦଣ୍ତ ନ ଦେଇ ତାଙ୍କୁ ସେଇ କ୍ଷଣି ଉଆସରୁ ନିକାଲି ଦେଲେ। 
ଏଭଳି ଅପବାଦର ଅପମାନ ଜର୍ଜର ପାଗଳ ପ୍ରାୟ ଭୃତ୍ୟ ଜଣକ ଯେତେବେଳେ କାନ୍ଦି କାନ୍ଦି ଭଗବାନଙ୍କ ଉଦ୍ଦେଶ୍ୟରେ ଅଭିସ˚ପାତ ବର୍ଷଣ କରି କହିବାକୁ ଲାଗିଲେ ଯେ ହେ ଈଶ୍ବର ତୁମେ ଅବିଚାରୀ ଓ ନିର୍ଦୟ। ଏତେ ଲୋକ ଏତେ ଅନ୍ୟାୟ କରି ଧରା ପଡୁ ନ ଥିବା ବେଳେ ତୁମେ ମୋର ପ୍ରଥମ ଅପକର୍ମକୁ ଧରାଇ ଦେଲ କେମିତି?
ସବୁ ଶୁଣୁଥିବା ବୃଦ୍ଧ ମନ୍ତ୍ରୀ କହିଲେ- ନିର୍ବୋଧଙ୍କ ଭଳି ନ ହୋଇ ବର˚ ଈଶ୍ବରଙ୍କୁ ଧନ୍ୟବାଦ ଦିଅ ଯେ ତୁମର ପ୍ରଥମ ଅପକର୍ମ ଧରାଇ ଦେଇଛନ୍ତି। ଈଶ୍ବରଙ୍କ ସୁଦୃଷ୍ଟି ତୁମ ଉପରେ ଅଛି। ତା’ ହୋଇ ନ ଥିଲେ ତୁମେ ମଧ୍ୟ କ୍ରମେ ଅନ୍ୟମାନଙ୍କ ଭଳି ହୋଇଯାଇଥାଆନ୍ତ। ମୋ ସହିତ ଆସ, ରାଜାଙ୍କୁ ସବୁ କଥା କହି କ୍ଷମା ମାଗ। ରାଜା ମଧ୍ୟ ତୁମକୁ କ୍ଷମା କରିବେ।

Advertisment