ଜଣେ ଲୋଭୀ ସୁଲତାନ ଥିଲେ। ଯିଏ ଯେମିତି ସେ ଅନ୍ୟମାନଙ୍କୁ ମଧ୍ୟ ସେଭଳି ଭାବେ। ତେଣୁ ସେ ଭାବୁଥିଲେ ଯେ ପୃଥିବୀରେ ସମସ୍ତେ ଲୋଭୀ।
ଥରେ ରାଜ୍ୟକୁ ଆସିଲେ ଜଣେ ଫକିର। ସେ ଭିକ୍ଷା କରି ଚଳୁଥିଲେ। ମିଳିଲା ତ ଖାଉଥିଲେ, ନ ମିଳିଲେ ପାଣି ପିଇ ଶୋଉଥିଲେ। ଉପଦେଶ ଓ ଆଶୀର୍ବାଦ ପାଇବା ଲାଗି ତାଙ୍କ ପାଖକୁ ଲୋକେ ଛୁଟିଲେ। ସେହି ବୈରାଗୀ ଫକିରଙ୍କ କଥା ସୁଲତାନଙ୍କ କାନରେ ପଡ଼ିଲା। ସୁଲତାନ କହିଲେ ୟେ ବି ଲୋଭୀ। ତାକୁ ମୋ ପାଖକୁ ଡାକ, ମୁଁ ପ୍ରମାଣ କରି ଦେଖାଇ ଦେବି।
ଫକିର ଆସିଲେ। ରାଜା ତାଙ୍କୁ କହିଲେ- ଆମ ରାଜ୍ୟର ନୂଆ ନିୟମରେ ଭିକ୍ଷା କରିବା ମନା। ତୁମେ ଭିକ୍ଷା ନ ମାଗି କାମ କର, ତୁମକୁ ପାରିଶ୍ରମିକ ମିଳିବ।
ଫକିର କହିଲେ- ଭଲ କଥା। କାମ ଦିଅନ୍ତୁ।
ସୁଲତାନ ସାଙ୍ଗେ ସାଙ୍ଗେ ତାଙ୍କ ପାଖ ଲୋକକୁ କହିଲେ- ଫକିର ବାବାଙ୍କୁ ପାତ୍ରଟିଏ ଦିଅ। ସେ ପାଣି ଆଣି ଆମ ବଗିଚାର ଗଛଗୁଡ଼ିକରେ ଦିଅନ୍ତୁ।
ଫକିରଙ୍କୁ ପାତ୍ରଟିଏ ଦିଆଗଲା। ସେ ତାକୁ ଟିକିଏ ପରୀକ୍ଷା କରି ସୁଲତାନଙ୍କୁ କହିଲେ- ମୋତେ ଗୋଟିଏ ସୁନା ଅସରପି ଦିଅନ୍ତୁ। କାମ ଆରମ୍ଭ ହେବ।
ସୁଲତାନ ଏହା ଶୁଣି ହସି ଉଠିଲେ ଓ କହିଲେ- ଦେଖୁଛ ତ ଏଇ ମାମୁଲି କାମ ଲାଗି ଫକିର ମାଗୁଛନ୍ତି ସୁନା ଅସରପି!
ତା’ ପରେ ସୁଲତାନ ପାରିହାସଭରା କଣ୍ଠରେ ଫକିରଙ୍କୁ ସବୁ କଥା କହିଲେ। ଫକିର କହିଲେ- ୟେ ମୋ ପାରିଶ୍ରମିକ ନୁହେଁ। ପାତ୍ରରେ ଥିବା ଛିଦ୍ରକୁ ବୁଜିବା ଲାଗି ଅସରପଟିଏ ମାଗିଥିଲି। ଛୋଟ ଗୋଡ଼ିରେ ବି କାମ ଚଳନ୍ତା। କିନ୍ତୁ ରାଜ କାର୍ଯ୍ୟରେ ରାଜାଙ୍କ ସମ୍ମାନ ରହିବା ଜରୁରି। ତେଣୁ ଅସରପି କଥା କହିଲି। କାମ ସରିବା ପରେ ଅସରପିଟି ଫେରାଇ ଦେବି ଓ ମୋ ପାରିଶ୍ରମିକ ବାବଦରେ କେବଳ ମୋତେ ଗୋଟିଏ ମୁଠା ଅଟା ଦେବେ! ସେତିକି ପାଇବା ଲାଗି ଓ ପାଇବା ପର୍ଯ୍ୟନ୍ତ ମୁଁ ଭିକ ମାଗେ।
ଏହା କହି ଫକିର କାମରେ ଲାଗିଗଲେ।
କଥାଟିଏ-ଯାଯାବର: ସୁଲତାନ ଓ ଫକିର
ଜଣେ ଲୋଭୀ ସୁଲତାନ ଥିଲେ। ଯିଏ ଯେମିତି ସେ ଅନ୍ୟମାନଙ୍କୁ ମଧ୍ୟ ସେଭଳି ଭାବେ। ତେଣୁ ସେ ଭାବୁଥିଲେ ଯେ ପୃଥିବୀରେ ସମସ୍ତେ ଲୋଭୀ। ଥରେ ରାଜ୍ୟକୁ ଆସିଲେ ଜଣେ ଫକିର। ସେ ଭିକ୍ଷା କରି ଚଳୁଥିଲେ। ମିଳିଲା ତ ଖାଉଥିଲେ, ନ ମିଳିଲେ ପାଣି ପିଇ ଶୋଉଥିଲେ।
/sambad/media/media_files/4gXaeJpVRwjMhCybVeWv.jpg)