ଗୋଟିଏ ଏକଛତ୍ରବାଦୀ ରାଜ୍ୟର କୁକୁରଟିଏ ଦେଖିଲା ଯେ ରାଜ୍ୟର ସୀମାରେ ଲାଗିଥିବା ତାର ବାଡ଼ରେ ଫାଙ୍କଟିଏ ରହିଛି। ସେ ଭାବିଲା ଫାଙ୍କ ଦେଇ ସେ ପଡ଼ୋଶୀ ରାଜ୍ୟକୁ ପଶିବ। ସେ ଶୁଣିଥିଲା ଯେ ପଡ଼ୋଶୀ ରାଜ୍ୟରେ ଗଣତନ୍ତ୍ର ଚାଲିଛି। ସେ ଭାବିଲା ଯେ ଯାଇ ଅନ୍ତତଃ ପଡ଼ୋଶୀ ରାଜ୍ୟରେ ଗଣତନ୍ତ୍ରକୁ ଦେଖି ଆସିବ। ଏହା ଭାବି ସେ ତାର ବାଡ଼ର ଫାଙ୍କ ଭିତର ଦେଇ ଆର ପଟକୁ ଚାଲିଗଲା। 
ପଡ଼ିଶା ରାଜ୍ୟରେ ଏଣେ ତେଣେ ବୁଲୁ ବୁଲୁ ସେ ଦେଖିଲା ଯେ ଜଣେ ଲୋକ ଆସି ତା’ ଭଳି ଦିଶୁଥିବା ଗୋଟିଏ କୁକୁରକୁ ବାଡ଼ିରେ ଶକ୍ତ ପାହାରେ ଦେଲା। କୁକୁରଟି ଆର୍ତ୍ତନାଦ କରି ପଳାଇଲା ଏବ˚ ଟିକିଏ ଦୂରରେ ବସି କାନ୍ଦିଲା। ଏକଛତ୍ରବାଦୀ ରାଜ୍ୟର କୁକୁର ତା’ ପାଖରେ ପହଞ୍ଚି କହିଲା- ଭାଇ, କଥା କ’ଣ? ତୁମକୁ ସେ ଲୋକ କାହିଁକି ବାଡ଼େଇଲା?
ମାଡ଼ ଖାଇଥିବା କୁକୁରଟି ଏ ନୂଆ କୁକୁରକୁ ଦେଖି ପଚାରିଲା- ତୁମେ କିଏ? 
କୁକୁରଟି କହିଲା- ମୁଁ ହେଉଛି ତୁମ ପାଖ ରାଜ୍ୟର କୁକୁର। ଆମର ସେଠି ଜଣେ ରାଜା ଶାସନ କରନ୍ତି। ସେଠି ସେ ଯାହା ଚାହାନ୍ତି ତାହା ହୁଏ। ମୁଁ ଶୁଣିଥିଲି ତୁମ ଗଣତନ୍ତ୍ରରେ ରାଜା ନାହାନ୍ତି, ତୁମେମାନେ ସ୍ବାଧୀନ ଭାବେ ଥାଅ! 
କାନ୍ଦୁଥିବା କୁକୁର କହିଲା-ଗଣତନ୍ତ୍ର ନା ଚୋପା? ମୁଁ ତୁମ ରାଜ୍ୟକୁ ପଳେଇବି। ଦେଖିଲ ନା ଏଠି କେମିତି ମୁଁ ପାହାରେ ଖାଇଲି।
ଏକଛତ୍ରବାଦୀ ରାଜ୍ୟର କୁକୁର କହିଲା- ହେଲେ ମୋତେ ଖାଲି କୁହ ଯେ ତୁମେ ମାଡ଼ ଖାଇଲ କାହିଁକି? 
‌େସ କୁକୁର କହିଲା- ମୁଁ ରାତି ସାରା ସେ ଲୋକର ଘର ସାମାନରେ ବାରମ୍ବାର ଭୁକୁ ଥିଲି। ତା’ର ନିଦ ସବୁ ବେଳେ ଭାଙ୍ଗିଲା। ତେଣୁ ସେ ସକାଳୁ ଉଠି ମୋତେ ପାହାରେ ଦେଲା। ହଉ ଆଉ ଡେରି କାହିଁକି? ଏବେ ଚାଲ।
ଏକଛତ୍ରବାଦୀ ରାଜ୍ୟର କୁକୁର ଏହା ଶୁଣି କହିଲା- ହଁ ଭାଇ ଯିବା ଯେ ପ୍ରଥମେ ମୋତେ କୁହ ତ ଭୁକିବା ବୋଇଲେ କ’ଣ? 
ଏହା ଶୁଣି ଗଣତନ୍ତ୍ର ରାଜ୍ୟର କୁକୁର ଅଟକି ଗଲା ଓ କହିଲା- ତୁମେ ଭୁକିବା ଅର୍ଥ କ’ଣ ଜାଣିନା? ତାହା ହେଲେ ରହିଲି। ତୁମ ରାଜ୍ୟକୁ ଯିବି ନାହିଁ।