ଶିକ୍ଷକ ପିଲାମାନଙ୍କୁ କହିଲେ- ଆମ ଭିତରେ ଅମାପ ବଳ ଥାଏ, କିନ୍ତୁ ଆମକୁ ତାହା ଜଣା ନ ଥାଏ। ମନେ କର, ତୁମେ ବହୁତ ଥକି ଯାଇଛ ଓ ଭାବୁଛ ଆଉ ଚା‌ଲି ପାରିବ ନାହିଁ; ଏତିକି ବେଳେ ହଠାତ୍‌ କୁକୁର ଗୋଡ଼ାଇ ଆସିଲା। ଦେଖିବ ବଳ ଆସିଯିବ ଓ ତୁମେ ଡିଆଁ ମା‌ରି ପଳାଇବ।
ପିଲାମାନେ ହସି ଉଠିଲେ। ଏହା ଦେଖି ଶିକ୍ଷକ କହିଲେ ତାହା ହେଲେ ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ଏହି କଥାଟି ଶୁଣ।
ଥରେ ନସିରୁଦ୍ଦିନ ଏକୁଟିଆ ଅନ୍ଧାରୁଆ ରାସ୍ତାରେ ଯାଉଥିଲେ। ସେ ଥିଲେ ଅତ୍ୟନ୍ତ ଶୀର୍ଣ୍ଣକାୟ। ଲୋକେ କହୁଥିଲେ ଯେ ଫୁଙ୍କିଦେଲେ ସେ ଉଡ଼ିଯିବେ। ସେ ଦିନ ହଠାତ୍ ତିନି ଜଣ ଚୋର ତାଙ୍କୁ ବେଢ଼ିଗଲେ। କିନ୍ତୁ ସେମାନଙ୍କୁ ତଟସ୍ଥ କରି ଦେଇ ନସିରୁଦ୍ଦିନ ଚୋରମାନଙ୍କ ସହିତ ଲଢ଼େଇ କଲେ ଏବଂ ଚୋର ତିନି ଜଣଙ୍କୁ ତଳେ ପକାଇ ଦେଇ ସେମାନଙ୍କ ଉପରେ କୁଦି ପକାଇଲେ। କିନ୍ତୁ ଶେଷରେ ତିନି ଜଣ ଯାକ ଚୋର ଲାଗି ପଡ଼ି ନସିରୁଦ୍ଦିନଙ୍କୁ କାବୁ କରିନେଲେ। ତା’ ପରେ ସେମାନେ ତାଙ୍କ ପୋଷାକପତ୍ର ତନ୍ନତନ୍ନ କରି ଖୋଜିଲା ବେଳକୁ ମିଳିଲା ମାତ୍ର ପଚାଶ ପଇସା। ସେମାନେ ହତାଶ ହୋଇ ନସିରୁଦ୍ଦିନଙ୍କୁ ଛାଡ଼ି ଦେବେ ନା ଆହୁରି ଉତ୍ତମ ମଧୢମ ଦେବେ ବୋଲି ବିଚାର କରୁଥିବା ବେଳେ ଲୋକମାନେ ପହଞ୍ଚି ଚୋର ତିନି ଜଣଙ୍କୁ ଧରି ପକାଇଲେ। 
ଚୋରମାନଙ୍କ ଭିତରୁ ଜଣେ କହିଲା- ଆମକୁ ଛାଡ଼ି ଦିଅ। ଆମେ କିଛି ନେଇ ନାହୁଁ। ବର˚ ତାଙ୍କ ଠୁ ଧୁମ୍‌ ଛେଚା ଖାଇଛୁ। ତାଙ୍କ ପାଖରେ ମାତ୍ର ପଚାଶ ପଇସା ଥିଲା, ଆମେ ତାଙ୍କୁ ତାହା ଫେରାଇ ଦେଇଛୁ। 
ଲୋକେ ନସିରୁଦ୍ଦିନଙ୍କୁ କହିଲେ- କିହୋ, ମାତ୍ର ପଚାଶ ପଇସା ଲାଗି ତୁମେ ଏତେ ବଳ ଜୁଟେଇ ଦେଲ ପାରିଲ?
ନସିରୁଦ୍ଦିନ କହିଲେ- ଏ ବଳ ପଚାଶ ପଇସାର ନୁହେଁ। ମୋ ଜୋତା ଭିତରେ ମୁଁ ପାଞ୍ଚ ଶହ ଟଙ୍କା ଲୁଚାଇ ରଖିଛି। ୟେ ତାରି ବଳ।