ଥରେ ୟୁଜିକେ ତାଙ୍କ ଅନୁଗାମୀମାନଙ୍କୁ କହିଲେ- ଆମ ଦ୍ବାରା ସୃଷ୍ଟ ପରିବାର, ସମାଜ ବା ରାଜ୍ୟ ଭଳି ବ୍ୟବସ୍ଥାରେ ସଦାବେଳେ ନ୍ୟାୟ ବିଚାର ପାଇବା ସମ୍ଭବ ହୋଇ ନ ଥାଏ, ଯଦିଓ ଅାଦର୍ଶଗତ ଭାବେ କୁହାଯାଇଥାଏ ଯେ ସମସ୍ତଙ୍କୁ ନ୍ୟାୟ ମିଳୁ। ଏବେ କଥାଟାକୁ ବୁଝାଇବା ଲାଗି ସେ ଗପଟିଏ କହିଲେ।
ଦିନକର କଥା। ରାଜସଭାରେ ଆକବର କୌଣସି କାରଣରୁ ବୀରବଲଙ୍କ ଉପରେ ରାଗିଯାଇ ତାଙ୍କ ଗାଲରେ କଷିଦେଲେ ଗୋଟାଏ ଶକ୍ତ ଚଟକଣା। ବୀରବଲ ତତ୍‌କ୍ଷଣାତ୍ ତାଙ୍କ ପାଖରେ ଥିବା ଲୋକର ଗାଲରେ ଚାପୁଡ଼ାଟିଏ ସେକି ଦେଲେ। 
ସେ ଲୋକଟି ଆଚମ୍ବିତ ହୋଇ କହିଲା- ସମ୍ରାଟ ତ ଆପଣଙ୍କୁ ଚାପୁଡ଼ାଟିଏ ମାରିଲେ! ଆପଣ ମୋତେ କାହିଁକି ମାରିଲେ?
ବୀରବଲ କହିଲେ- ଚାପୁଡ଼ା ମାରିବା ପଛରେ କେବଳ ଗୋଟିଏ ତତ୍ତ୍ବ ଥାଏ। ତାହା ହେଲା ତୁମେ ଯାହାକୁ ମାରି ପାରିବ, ତାକୁ ହିଁ ମାର। ମୁଁ ତ ସମ୍ରାଟକୁ ମାରି ପାରିବି ନାହିଁ। ତେଣୁ ତୁମକୁ ମାରିଲି। ‌ତୁମେ ମଧ୍ୟ ସେଭଳି କର। କହିବା ବାହୁଲ୍ୟ, ଖୁବ୍‌ କମ୍‌ ସମୟ ଭିତରେ ଚାପୁଡ଼ାଟି ସମସ୍ତଙ୍କ ଗାଲ ଦେଇ ପୂରା ରାଜସଭା ଘୂରି ଆସିଲା। 
ଗପଟି କହିସାରି ୟୁଜିକେ କହିଲେ- ଆମେ କହୁ ଜୋର ଯାହାର ମୁଲକ ତା’ର ଅର୍ଥାତ୍‌ ଏଭଳି ସ୍ଥିତିରେ ସର୍ବଦା ନ୍ୟୟୋଚିତ ବିଚାରର ସମ୍ଭାବନା କାହିଁ?

Advertisment